ସମ୍ବଲପୁର: ସ୍ବାବଲମ୍ବୀ ହେବେ କୁଷ୍ଠ ରୋଗୀ । ଏମାନଙ୍କ ଜୀବିକା ଉପାର୍ଜନ ପାଇଁ ଅଣ୍ଟା ଭିଡିଲା ସମ୍ବଲପୁର ଜିଲ୍ଲାପ୍ରଶାସନ । ଏକ ମେଗା ପ୍ରୋଜେକ୍ଟ ମାଧ୍ୟମରେ କାର୍ଯ୍ୟ ଯୋଗାଇବାକୁ କରିଛି ପ୍ରୟାସ । ମନରେଗା ମାଧ୍ୟମରେ କାମ ଯୋଗାଇ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ସମ୍ବଲପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ପ୍ରକଳ୍ପ ଆରମ୍ଭ ହୋଇଛି ।
ସମ୍ବଲପୁର ହାତିବାରି ସ୍ଥିତି ଆଇଜାକ ସନ୍ତ୍ରା କୁଷ୍ଠାଶ୍ରମରେ ଆରମ୍ଭ ହୋଇଛି ଏହି ପ୍ରୋଜେକ୍ଟ । ଏହି ପ୍ରକଳ୍ପରେ 25 ଏକର ଜମିରେ ସୃଷ୍ଟି କରାଯାଇଛି ଆମ୍ବ ବଗିଚା । ଯେଉଁଠି ବିଭିନ୍ନ କିସମର 1000ରୁ ଅଧିକ ଆମ୍ବ ଲଗାଯିବା ସହ ଫୁଲ ଓ ଡାଲି ଜାତୀୟ ଗଛ ରହିଛି । ଆଗକୁ ସୂର୍ଯ୍ୟମୁଖୀ ଓ କଦଳୀ ଗଛ ଲଗାଯିବ । ସେହିପରି ଜଳସେଚନ ପାଇଁ ଛୋଟିଆ ଡ୍ୟାମରୁ କେନାଲର ବ୍ୟବସ୍ଥା ହୋଇଛି । ହାତୀ ଉପଦ୍ରବ ଅଞ୍ଚଳ ହୋଇଥିବାରୁ ଚାରିପାର୍ଶ୍ବରେ ଟ୍ରେନଜ କରାଯାଇଛି ।ଏସବୁର ରକ୍ଷାଣାବେକ୍ଷଣ ଦାୟିତ୍ବରେ ରହିବେ କୁଷ୍ଠାଶ୍ରମର ଅନ୍ତେବାସୀ । ଆଉ ଏଥିରୁ ଯାହା ଲାଭ ହେବ ତାହା କୁଷ୍ଠ ରୋଗୀଙ୍କୁ ଦିଆଯିବ । ମନରେଗା ସ୍କିମରେ ମାଟି କାମ, ବାଡିବଗିଚା କାମ, ଘାସ କଟା ଇତ୍ୟାଦି କାର୍ଯ୍ୟ କରି ଭଲ ଦି ପଇସା ରୋଜଗାର କରୁଛନ୍ତି ।
କୁଷ୍ଠାଶ୍ରମ ଅନ୍ତେବାସୀଙ୍କୁ ରୋଜଗାର ଦେବାକୁ 10ଟି ସ୍ବୟଂ ସହାୟକ ଗୋଷ୍ଠୀ ଗଠନ ହୋଇଛି । ଏହି ପ୍ରକଳ୍ପର ବିଭିନ୍ନ କାର୍ଯ୍ୟରେ ମନରେଗା ସ୍କିମରେ ଅନ୍ତେବାସୀଙ୍କୁ ଯୋଗାଇ ଦିଆଯାଉଥି କାମ । ଫଳରେ ସେମାନେ 2 ପଇସା ରୋଜଗାର କରିବେ । ଏହି ବଗିଚାରେ ଆହୁରି ଖାଲି ସ୍ଥାନ ରହୁଥିବାରୁ ବିରି,ମୁଗ ପରି ଚାଷ ମଧ୍ୟ କରିପାରିବେ । ଏହା ଦ୍ବାରା କେବଳ ସେମାନେ 2 ପଇସା ରୋଜଗାର କରିବେ ତା ନୁହେଁ ବରଂ ମାନସିକ ଓ ଶାରୀର ସ୍ତରରେ ସୁସ୍ଥ ରହିବେ ବୋଲି ଯୁଜୁମୁରା ବିଡିଓ କହିଛନ୍ତି ।
କୁଷ୍ଠ ରୋଗ ପାଇଁ ଔଷଧ ବାହାରିଛି ସତ, ତଥାପି ସମାଜରେ ଏମାନଙ୍କୁ ଭିନ୍ନ ଦୃଷ୍ଟିରେ ଦେଖେ । ଏଥିରୁ ସୁସ୍ଥ ହେଲା ପରେ କେତେକ ପରିବାର ସେମାନଙ୍କୁ ଗ୍ରହଣ କରୁନାହାଁନ୍ତି । ତେଣୁ ଏମାନଙ୍କ ପାଇଁ ଜିଲ୍ଲାପ୍ରଶାସନର ଏପରି ପ୍ରୟାସକୁ ସ୍ଥାନୀୟ ଲୋକେ ସ୍ବାଗତ କରୁଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ