ସମ୍ବଲପୁର: ସମ୍ବଲପୁର JSW ଭୂଷଣ କାରଖାନାରେ ଦୁର୍ଘଟଣା ଘଟଣା। ଏହି ଘଟଣା ନେଇ ସ୍ଥାନୀୟ ରେଙ୍ଗାଲୀ ବିଧାୟକ ତଥା ରାଜ୍ୟ ବିଜେପି ଉପ-ସଭାପତି ମୁହଁ ଖୋଲିଛନ୍ତି । ଜିଲ୍ଲା ପ୍ରଶାସନର ଅବହେଳା ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅପାରଗତା ଯୋଗୁଁ ଏହି ଦୁର୍ଘଟଣା ଘଟିଛି ବୋଲି ସେ ସିଧାସଳଖ ଅଭିଯୋଗ କରିଛନ୍ତି ।
ସମ୍ବଲପୁର ରେଙ୍ଗାଲୀ ବ୍ଲକ ଠେଲୋକୋଲୋଇ ସ୍ଥିତ JSW ଭୂଷଣ କାରଖାନାରେ ହୋଇଥିବା ଦୁର୍ଘଟଣା ପାଇଁ ସ୍ଥାନୀୟ ବିଧାୟକ ସବୁ ଦୋଷ ଜିଲ୍ଲା ପ୍ରଶାସନ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଉପରେ ଲଦିଛନ୍ତି। ସ୍ଥାନୀୟ ଶିଳ୍ପ ପ୍ରତିଷ୍ଠାନ ଗୁଡିକରେ ନିରାପତ୍ତା ବ୍ୟବସ୍ଥା ଅଛି ନା ନାହିଁ ତା ଉପରେ ନଜର ରଖିବା ଜିଲ୍ଲା ପ୍ରଶାସନର ଦାୟିତ୍ବ । ତେବେ ଜିଲ୍ଲା ପ୍ରଶାସନ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସ୍ଥାନୀୟ କଳ କାରଖାନାର ଦୋଷ ଦୁର୍ବଳତା ଉପରେ ଘଣ୍ଟ ଘୋଡେଇବା ସହ ସେମାନଙ୍କୁ ନିଜର ଗେହ୍ଲା ପୁଅ କରିଛନ୍ତି ବୋଲି ସେ କହିଛନ୍ତି ।
ଏହା ସହ ଦୁର୍ଘଟଣା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ଓ ଯଦି ମୃତ୍ୟୁ ହୋଇଛି ତେବେ ମୃତକଙ୍କ ପରିବାର ଲୋକଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦାବି କରିଛନ୍ତି ରେଙ୍ଗାଲୀ ବିଧାୟକ ନାଉରୀ ନାଏକ । ଏହା ସହ ଏହି ଭଳି ଘଟଣାର ପୁନରାବୃତ୍ତି ଯେପରି ଭବିଷ୍ୟତରେ ନହୁଏ ଓ ସ୍ଥାୟୀ ସମାଧାନ ହୁଏ ସେନେଇ ଦାବି କରିଛନ୍ତି ସ୍ଥାନୀୟ ବିଧାୟକ ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ