ସମ୍ବଲପୁର: ହୀରାକୁଦର ନିଷିଦ୍ଧାଞ୍ଚଳରେ ଫଟୋ ଉଠାଇ ଅଡୁଆରେ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ହୀରାକୁଦ ଡ୍ୟାମ ତଳ ମୁଣ୍ଡରେ ଥିବା ଓଏଚପିସି କାର୍ଯ୍ୟାଳୟର ଛାତ ଉପରେ କିଛି ଯୁବକ ଯୁବତୀ ଫଟୋ ଉଠାଉ ଥିବାର ଭିଡିଓ ଏବେ ସମ୍ବଲପୁରର ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ହୀରାକୁଦ ଡ୍ୟାମ ଉପର ତଥା ଭିଡ଼ିଓରେ ଦେଖାଯାଉଥିବା ଅଞ୍ଚଳ ନିଷିଦ୍ଧାଞ୍ଚଳ ହୋଇଥିବାବେଳେ ଏତେ ସଂଖ୍ୟକ ଯୁବକ ଯୁବତୀ ଯାଇ କିପରି ଫଟୋ ଉଠାଇଲେ ବୋଲି ବିଭିନ୍ନ ସୋସିଆଲ ମିଡିଆରେ ପ୍ରଶ୍ନ ଉଠିଛି । ତେବେ ଏନେଇ ବୁର୍ଲା ଓଏଚପିସି ୟୁନିଟ ହେଡ ଦେବାଶିଷ ମିଶ୍ର ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ଭିଡ଼ିଓରେ ଥିବା ସମସ୍ତ ଯୁବକ ଯୁବତୀ ବୁର୍ଲା ଭିସୁଟର ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ।
ସେମାନେ ଅନୁମତି ନେଇ ଏକ ମାସର ପ୍ରାକ୍ଟିକାଲ ଟ୍ରେନିଂ ପାଇଁ ସେହି ଅଞ୍ଚଳ ପରିଦର୍ଶନ କରିଛନ୍ତି । ତେବେ ସେହି ନିଷିଦ୍ଧାଞ୍ଚଳରେ ଫଟୋ ଉତ୍ତୋଳନ କରିବା ନେଇ ତାଙ୍କ ପାଖରେ କିଛି ସୂଚନା ନ ଥିବା ବୁର୍ଲା ଓଏଚପିସି ୟୁନିଟ ମୁଖ୍ୟ ଦେବାଶିଷ ମିଶ୍ର କହିଛନ୍ତି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା,ଇଟିଭି ଭାରତ