ସମ୍ବଲପୁର: ଉଦଘାଟିତ ହୋଇଛି ହୀରାକୁଦ ଇକୋ ରିଟ୍ରିଟ 2020। ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଥମ ଥର ପାଇଁ ଏଥର ହୀରାକୁଦରେ ଆୟୋଜିତ ହୋଇଛି ହୀରାକୁଦ ଇକୋ ରିଟ୍ରିଟ। ଆଜିଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଫେବ୍ରୁଆରୀ 28 ଯାଏ ଚାଲିବ। ରାଜ୍ୟ ପର୍ଯ୍ୟଟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ,ସ୍ଥାନୀୟ ଜନ ପ୍ରତିନିଧି ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଫିତା କାଟି ଏହାର ଶୁଭାରମ୍ଭ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ରେଙ୍ଗାଲୀ ବିଧାୟକ ନାଉରୀ ନାଏକ, ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, କୁଚିଣ୍ଡା ବିଧାୟକ କିଶୋର ନାଏକ ,ସମ୍ବଲପୁର ଆର ଡି ସି ନିରଞ୍ଜନ ସାହୁଙ୍କ ସହ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଆଜି କାର୍ଯ୍ୟକ୍ରମର ପ୍ରାରମ୍ଭିକ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଟୁଆଲ ବାର୍ତ୍ତା ଦେଇ ଏହାର ସଫଳତା କାମନା କରିଛନ୍ତି। ହୀରାକୁଦର ଏହି ଇକୋ ରିଟ୍ରିଟରେ ପର୍ଯ୍ୟଟକଙ୍କ ପାଇଁ 20ଟି ପ୍ରିମିୟମ ଓ 5 ଟି ରୟାଲ କଟେଜ ରହିଛି। ଏହାସହ ପର୍ଯ୍ୟଟକ ମାନେ ଏଠାରେ ଜଳ କ୍ରୀଡାର ମଜା ନେବା ସହ ଆଖପାଖର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଭ୍ରମଣର ମଜା ନେଇ ପାରିବେ। ଏହାସହ ଏଠାରେ ପର୍ଯ୍ୟଟକ ମାନଙ୍କ ପାଇଁ ମଧ୍ୟ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ସମ୍ବଲପୁରରୁ ବାଦଶାହା ଯୁଷ୍ମନ ରଣା, ଇଟିଭି ଭାରତ