ସମ୍ବଲପୁର: ଗତବର୍ଷର ଫସଲ ବୀମା ଜନିତ କ୍ଷତିପୂରଣ ରାଶି ପାଇନାହାନ୍ତି ଯୁଜୁମୁରା ବ୍ଳକର ଚାଷୀ । ଯୁଜୁମୁରା ଅଞ୍ଚଳର 3ଟି ପଞ୍ଚାୟତର ଚାଷୀ ଗତବର୍ଷ ଅର୍ଥାତ ୨୦୨୦ର ଫସଲ ବୀମା ପାଇ ପାରିନଥିବା ଅଭିଯୋଗ ହୋଇଛି । ଗତ ଏକ ବର୍ଷ ହେବ ନିଜ କ୍ଷତିପୂରଣ ରାଶି ପାଇବା ପାଇଁ ବିଭିନ୍ନ ସରକାରୀ କାଯ୍ୟାଳୟ ଦ୍ୱାରସ୍ଥ ହେବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି । ଏନେଇ ପୁଣିଥରେ କ୍ଷତିଗ୍ରସ୍ତ ଚାଷୀ ନିଜର କ୍ଷତିପୂରଣ ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରୀ କରିଛନ୍ତି ।
ସୂଚନା ଅନୁସାରେ, ଜୁଜୁମୁରା ବ୍ଳକର ଲିପିଣ୍ଡା ,କେସାପାଲି ଓ କୟାକୁଦ ପଞ୍ଚାୟତର ଫସଲନଷ୍ଟ ହୋଇଥିବା ବେଳେ ଏମାନଙ୍କୁ ବର୍ତ୍ତମାନ ସୁଦ୍ଧା ଫସଲ ବୀମା ଯୋଜନାର କ୍ଷତିପୂରଣ ମିଳିନାହିଁ । ଏନେଇ ସେମାନେ ଏକ ଦାବିପତ୍ର ଜିଲ୍ଲାପାଳ ଦାୟିତ୍ୱରେ ଥିବା ପିଡ଼ି ଡିଆରଡିଏଙ୍କୁ ଦେଇଛନ୍ତି । ଏହି ଦାବିପତ୍ରରେ ୨୦୨୦ ଖରିଫ ଋତୁରେ ମରୁଡ଼ି ଯୋଗୁଁ ଏହି ପଞ୍ଚାୟତର ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ସେହିପରି ଚକଡ଼ା ପୋକର ଆତଙ୍କ ଚାଷୀଙ୍କୁ ଅତିଷ୍ଟ କରିଥିବା ମଧ୍ୟ ଦର୍ଶାଇଛନ୍ତି ଚାଷୀ ।
ତେବେ ଆଜି ପର୍ଯ୍ୟନ୍ତ କାହିଁକି କ୍ଷତିପୂରଣ ମିଳିନାହିଁ ବୋଲି ପ୍ରଶ୍ନ କରିବା ସହ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କ୍ଷତିପୂରଣ ମିଳିବା ନେଇ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି ଚାଷୀ । ଅନ୍ୟପଟେ ଚାଷୀଙ୍କୁ ବୀମା ପ୍ରଦାନ ପାଇଁ ଦାୟିତ୍ୱରେ ଥିବା ବୀମା କମ୍ପାନୀ ମଧ୍ୟ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ଆସିଛି ।
ବର୍ତ୍ତମାନ ଚାଷୀଙ୍କ ପାଇଁ ୨୦୨୧ ଖରିଫ ଋତୁର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଲାଗି ଆବେଦନ ଆରମ୍ଭ ହୋଇଥିବା ବେଳେ ବିଗତ ବର୍ଷର କ୍ଷତିପୁରଣ ଚାଷୀଙ୍କୁ ନମିଳିବା ଚାଷୀଙ୍କୁ ହତାଶ କରୁଛି ବୋଲି କ୍ଷତିଗ୍ରସ୍ତ ଚାଷୀ କହିଛନ୍ତି । ତେବେ ଏପରି ଅବ୍ୟବସ୍ଥା ନେଇ କ୍ୟାମେରା ଆଗରେ ପ୍ରତିକ୍ରିୟା ଦେବାକୁ ଜିଲ୍ଲାପାଳ ଦାୟିତ୍ୱରେ ଥିବା ପିଡି ଡିଆରଡିଏ ସୁକାନ୍ତ ତ୍ରିପାଠୀ ମନା କରିଥିବା ବେଳେ ଖୁବ ଶିଘ୍ର ସମସ୍ୟାର ସମାଧାନ ହେବା ନେଇ ସୂଚନା ଦେଇଛନ୍ତି
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ