ସମ୍ବଲପୁର: ସମ୍ବଲପୁର ସହରର ଉପର ମୁଣ୍ଡରେ ରହିଛି ହୀରାକୁଦ ଡ୍ୟାମ । 65 ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା ଏହି ଡ୍ୟାମ ତିଆରି ହୋଇଛି। ବନ୍ୟା ନିୟନ୍ତ୍ରଣ ଏହି ଡ୍ୟାମ ନିର୍ମାଣର ମୂଖ୍ୟ ଲକ୍ଷ୍ୟ ଗୁଡିକ ଭିତରେ ଗୋଟିଏ। ତେବେ ପ୍ରତ୍ୟେକ ବର୍ଷ ହୀରାକୁଦରୁ ଅଧିକ ସଂଖ୍ୟକ ଗେଟ ଖୋଲା ହେଲେ ସମ୍ବଲପୁର ସହରରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଥୟ। ତେବେ କାହିଁକି ହୋଇଥାଏ ଏହି କୃତ୍ରିମ ବନ୍ୟା କଣ କହୁଛନ୍ତି ବିଶେଷଜ୍ଞ ।
ବିଶେଷଜ୍ଞ ମତ ଅନୁସାରେ ହୀରାକୁଦ ଡ୍ୟାମରୁ ବନ୍ୟାଜଳ ନିଷ୍କାସନ ହେଲେ ଗୋଟିଏ ଗେଟରୁ ସେକେଣ୍ଡ ପ୍ରତି 15 ହଜାର କ୍ୟୁସେକ ଜଳ ନିଷ୍କାସନ ହୋଇଥାଏ। ତେବେ ହୀରାକୁଦର ଜଳସ୍ତର 620 ଫୁଟରୁ ଉର୍ଦ୍ଧ୍ବ ରହିଲେ ଗେଟରେ ବନ୍ୟା ଜଳ ନିଷ୍କାସନର ପରିମାଣ ବଢିଯାଇ ସେକେଣ୍ଡ ପ୍ରତି 16 ହଜାର କ୍ୟୁସେକ ପର୍ଯ୍ୟନ୍ତ ହୋଇଥାଏ। ଏଭଳି ସ୍ଥିତିରେ ହୀରାକୁଦର 30 ଅଥବା ତାଠାରୁ ଉର୍ଦ୍ଧ୍ବ ସଂଖ୍ୟକ ଗେଟ ଖୋଲାହେଲେ ଡ୍ୟାମ ରୁ 4 ଲକ୍ଷ କ୍ୟୁସେକରୁ ଅଧିକ ବନ୍ୟା ଜଳ ନିଷ୍କାସନ ହୋଇଥାଏ।
ଏଭଳି ସ୍ଥିତିରେ ତଳମୁଣ୍ଡରେ ଥିବା ସମ୍ବଲପୁର ସହରରେ ଯଦି ବର୍ଷା ହୁଏ ତେବେ ସହରରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ । ବିଶେଷଜ୍ଞ ମତରେ ହୀରାକୁଦର 4 ଲକ୍ଷ କ୍ୟୁସେକ ଜଳ ନିଷ୍କାସନ ହେଲେ ସମ୍ବଲପୁର ସହରରୁ ବର୍ଷା ଜଳ ମହାନଦୀକୁ ନିଷ୍କାସନ ହୋଇପାରିନଥାଏ । ଏଭଳି ସ୍ଥିତିରେ ସମ୍ବଲପୁର ସହରରେ ଯଦି ବର୍ଷା ହୁଏ ତେବେ ସମ୍ବଲପୁର ସହର ର କେତେକ ସ୍ଥାନରେ 10 ରୁ 11 ଫୁଟ ପର୍ଯ୍ୟନ୍ତ ବର୍ଷା ପାଣି ଜମିଯାଇ କୃତ୍ରିମ ବନ୍ୟା ହୋଇଥାଏ ।
ଅନ୍ୟ ପଟେ ମହାନଦୀର ପଛୁଆ ପାଣି ସହର ଭିତରକୁ ପଶିଥାଏ । ତେଣୁ କୃତ୍ରିମ ବନ୍ୟା ଉପୁଜିଥାଏ । ସ୍ଥାନୀୟ ସଚେତନ ନାଗରିକଙ୍କ ମତରେ ପ୍ରାକୃତିକ ନାଳ ଗୁଡିକରେ ଜବରଦଖଲ ଓ କୋଠା ନିର୍ମାଣ ପାଇଁ ମଧ୍ୟ କୃତ୍ରିମ ବନ୍ୟା ପରିସ୍ଥିତି ଉପୁଜିଥାଏ । ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ 2018 ମସିହାରେ ତତ୍କାଳୀନ ଜିଲ୍ଲାପାଳ ସମର୍ଥ ବର୍ମା 110 କୋଟିର ଏକ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କୁ ଏକ ପ୍ରସ୍ତାବ ଦେଇଥିଲେ ତେବେ ତାହା ଆଜି ପର୍ଯ୍ୟନ୍ତ ହୋଇ ପାରିନି। ଏଥିପାଇଁ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଦାବି ହୋଇଆସୁଛି ।
ଇଟିଭି ଭାରତ, ସମ୍ବଲପୁର