ସମ୍ବଲପୁର: ମୁଖ୍ୟମନ୍ତ୍ରୀଙ୍କ କୁଚିଣ୍ଡା ଗସ୍ତ ସମୟରେ ମୁହାଁମୁହିଁ ହେଲେ କଂଗ୍ରେସ ଓ ବିଜେଡି କର୍ମକର୍ତ୍ତା । ମମିତା ମେହେର ପ୍ରସଙ୍ଗରେ କିଛି କଂଗ୍ରେସର କର୍ମକର୍ତ୍ତା କୁଚିଣ୍ଡା ସହରର ଦୁର୍ଗା ମନ୍ଦିର ଛକ ନିକଟରେ ପ୍ରତିବାଦ କରୁଥିଲେ । ତେବେ ସେହି ସମୟରେ କିଛି ବିଜେଡି କର୍ମକର୍ତ୍ତାମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ସମ୍ବଲପୁର କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଜୟନ୍ତ କୁମାର କିଷାନଙ୍କୁ କିଛି ବିଜେଡି କର୍ମକର୍ତ୍ତା ମାଡ଼ ମାରି ଲହୁଲୁହାଣ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଜୟନ୍ତଙ୍କୁ ଉଦ୍ଧାର କରିଥିଲା । ପରେ ତାଙ୍କୁ ଆହତ ଅବସ୍ଥାରେ କୁଚିଣ୍ଡା ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା ।
ବର୍ତ୍ତମାନ କଂଗ୍ରେସ ସଭାପତି ଜୟନ୍ତ କୁମାର କିଷାନ ଆହତ ଅବସ୍ଥାରେ କୁଚିଣ୍ଡା ସରକାରୀ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ସେପେଟ ଏହି ଘଟଣାକୁ ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟରେ ବିରୋଧୀ ସ୍ବର ମିଳାଇଛନ୍ତି । ସେପଟେ ଦରଦାମ ବୃଦ୍ଧି ଆଳରେ ରାଜାରାସ୍ତାକୁ ଓହ୍ଲାଇଛନ୍ତି ଶାସକ ବିଜେଡି କର୍ମୀ । ଏଭଳି ସ୍ଥିତି ବିଭିନ୍ନ ସ୍ଥାନରେ ବିରୋଧୀ ଓ ଶାସକ ଦଳ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେଉଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ