ସମ୍ବଲପୁର: ଆସନ୍ତା 10 ତାରିଖରେ ପଶ୍ଚିମ ଓଡିଶା ବିକାଶ ପରିଷଦ(WODC) ପ୍ରସଙ୍ଗ ନେଇ ରାଜଧାନୀର ରାଜଭବନ ସମ୍ମୁଖରେ ବିଜେପି କରିବ ଆନ୍ଦୋଳନ । ଏନେଇ ଆଜି(ଶୁକ୍ରବାର) ସମ୍ବଲପୁରରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ପଶ୍ଚିମ ଓଡିଶା ବିକାଶ ପରିଷଦ ମୁଦ୍ଦା ନେଇ ଆସନ୍ତା 10ରେ ରାଜଭବନ ସମ୍ମୁଖରେ ଆନ୍ଦୋଳନ କରିବ ବିଜେପି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ନେଇ ରାଜ୍ୟ ସରକାରଙ୍କ ମନମୁଖୀ କାର୍ଯ୍ୟକଳାପ, ବିକାଶ ପରିଷଦର ପାଣ୍ଠିକୁ ନେଇ ଦଳୀୟ କାର୍ଯ୍ୟକ୍ରମ, ବିକାଶ ପରିଷଦର ଅଫିସ ପଶ୍ଚିମ ଓଡିଶାକୁ ନ ଆଣିବା, ପାଣ୍ଠିକୁ ଵୃଦ୍ଧି ନକରିବା ଆଦି ପ୍ରସଙ୍ଗ ନେଇ ବିଜେପି ଏହି ଆନ୍ଦୋଳନ କରିବାକୁ ଯାଉଛି । ଏହା ସହ WODCର କାଉନସିଲ ଗଠନ ନକରି କେବଳ ଅଧ୍ୟକ୍ଷଙ୍କ ଦ୍ଵାରା କାର୍ଯ୍ୟ ପରିଚାଳନାକୁ ନେଇ ପ୍ରଶ୍ନ କରିଛି ବିଜେପି ।
ଆଜି ସମ୍ବଲପୁରରେ ହୋଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ ରେଙ୍ଗାଲି ବିଧାୟକ ନାଉରୀ ନାଏକ, ଲୋଇସିଙ୍ଗା ବିଧାୟକ ମୁକେଶ ମହାଳିଙ୍ଗ, ଦେବଗଡ଼ ବିଧାୟକ, ସୁବାଷ ପାଣିଗ୍ରାହୀଙ୍କ ବହୁ ବିଜେପି ନେତା ଉପସ୍ଥିତ ଥିଲେ । ଆସନ୍ତା 10 ତାରିଖରେ ହେବାକୁ ଥିବା ଏହି ଆନ୍ଦୋଳନରେ ବିଜେପିର ସାଂସଦ, ବିଧାୟକ, ଜିଲ୍ଲା ପ୍ରତିନିଧି ସହ କାର୍ଯ୍ୟକର୍ତ୍ତା ସାମିଲ ହେବେ ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ