ସମ୍ବଲପୁର: 5 ବର୍ଷ ପୂର୍ବେ ସମ୍ବଲପୁରରେ ସ୍ଥାପନା ହୋଇଥିଲା ଆଇଆଇଏମ । ନିଜର ସ୍ଥାୟୀ କ୍ୟାମ୍ପସ ନଥାଇ ମଧ୍ୟ ଏହି ଶିକ୍ଷା ଅନୁଷ୍ଠାନ ନୂଆ ଆଇଆଇଏମଙ୍କ ମଧ୍ୟରେ ସବୁଠାରୁ ଆଗରେ ଥିବା ଚଳିତ ବର୍ଷ ଏମବିଏ ଆଡ୍ମିଶନ୍ରୁ ଜଣାପଡିଛି । ଚଳିତ ବର୍ଷ ଏମବିଏ ପାଠ୍ୟକ୍ରମରେ 50 ପ୍ରତିଶତ ଝିଅ ଆଡ୍ମିଶନ୍ କରିଥିବା ଏହାକୁ ଦର୍ଶାଉଛି । ଯାହାକି ଏକ ବଡ ସଫଳତା ବୋଲି ଆଜି(ସୋମବାର) ଏମବିଏର 5 ବ୍ୟାଚ୍ ଓ ପିଏଚଡିର ପ୍ରଥମ ବ୍ୟାଚ୍ର ପ୍ରାରମ୍ଭିକ ସଭାରେ ଆଇଆଇଏମର ନିର୍ଦ୍ଦେଶକ କହିଛନ୍ତି ।
ସମ୍ବଲପୁରରେ ଆଇଆଇଏମ ଆରମ୍ଭ ହେବା ସମୟରେ ଏହାର ଭିତ୍ତିଭୂମିକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ତେବେ ସବୁ ପ୍ରଶ୍ନରେ ପୂର୍ଣ୍ଣଚ୍ଛେଦ ପକାଇ ଏବେ ଆଗକୁ ବଢିଚାଲିଛି ସମ୍ବଲପୁର ଆଇଆଇଏମ । ନୂତନ ଭାବେ ସ୍ଥାପନ ହୋଇଥିବା ଆଇଆଇଏମ ମଧ୍ୟରେ ଭିତ୍ତିଭୂମି, ଶିକ୍ଷା ବ୍ୟବସ୍ଥା ଓ ପ୍ଲେସମେଣ୍ଟରେ ଏହା ସବୁଠାରୁ ଆଗରେ ରହିଛି ।
ଏଠାକାର ପାଠପଢା ସାଙ୍ଗକୁ ହଷ୍ଟେଲ ଉଚ୍ଚମାନର ହୋଇଥିବାବେଳେ 100 ପ୍ରତିଶତ ପ୍ଲେସମେଣ୍ଟର ରେକର୍ଡ ରହିଛି । ତେବେ ଆଜିର (ସୋମବାର) ପ୍ରାରମ୍ଭିକ ବୈଠକରେ ରିଲାଏନ୍ସ ଗ୍ରୁପର ରିଫାଇନାରୀ ବିଜନେସର ସଭାପତି ପି ରାଘବେନ୍ଦ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ତାଙ୍କ ସହ ସମ୍ବଲପୁର ଆଇଆଇଏମର ନିର୍ଦ୍ଦେଶକ ମହାଦେବ ପ୍ରସାଦ ଜଏସୱାଲ, ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ଦୀପକ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ