ସମ୍ବଲପୁର: ଜିଲ୍ଲା ଗସ୍ତରେ ଆସାମର ସଂସ୍କୃତି ବିଭାଗର 2 ଜଣିଆ ପ୍ରତିନିଧି ଦଳ । ଆଜି ଆସାମ ସରକାରଙ୍କ ସଂସ୍କୃତି ବିଭାଗର ନିର୍ଦ୍ଦେଶିକା ମିନାକ୍ଷୀ ଦାସ ନାଥ ଓ ଅତିରିକ୍ତ ସଚିବ ମଣିଦୀପା ସମ୍ବଲପୁର ଗସ୍ତରେ ଆସିଛନ୍ତି । ସନ୍ଧ୍ୟା ୪ଟା ୩୦ ମିନିଟ ସମୟରେ ଏହି ଟିମ ପହଞ୍ଚିବା ପରେ କଚେରୀ ଛକ ସ୍ଥିତ ବିଶିଷ୍ଟ ଅହମିଆ ଲେଖକ ଲକ୍ଷ୍ମୀନାଥ ବେଜବରୁଆଙ୍କ ସାଧନା ଗୃହ ବୁଲି ଦେଖିଥିଲେ ।
ଉଭୟ ଓଡିଶା ଓ ଆସାମ ସରକାରଙ୍କ ମିଳିତ ସହଯୋଗରେ ଏହି ସାଧନା ଗୃହର ପୁନରୁଦ୍ଧାର ହୋଇଥିବା ବେଳେ ଏହାର କାର୍ଯ୍ୟ ପ୍ରାୟ ସାରିଯାଇଛି । ଏହି ଟିମ ପୁନରୁଦ୍ଧାର କାର୍ଯ୍ୟ ବୁଲି ଦେଖିବା ସହ ଏଠାରେ ବେଜବରୁଆଙ୍କ ଲିଖିତ ପୁସ୍ତକ, ପୁରୁଣା ଫଟୋ ସବୁ ବୁଲି ଦେଖିଥିଲେ । ଏହାପରେ କଚେରୀ ଛକରେ ଭଗ୍ନ ସ୍ତୁପରେ ପରିଣତ ହୋଇ ସାରିଥିବା ବେଜବରୁଆଙ୍କ ଅନ୍ୟ ଏକ ବାସଗୃହ ବୁଲି ଦେଖିଥିଲେ । ଏନେଇ ଆସାମ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି ଜଣାଯାଇଛି । ଏହି ଗୃହର ପୁନରୁଦ୍ଧାର କାର୍ଯ୍ୟ ଓଡିଶା ସରକାରଙ୍କ ସହାୟତାରେ କରାଯିବ ବୋଲି କୁହାଯାଇଛି । ଆଜି ଏହି ଟିମ ସହ ସମ୍ବଲପୁର ଉପଜିଲ୍ଲାପାଳ, ଜିଲ୍ଲା ସଂସ୍କୃତି ଅଧିକାରୀ ଓ INTACH ଟିମ ମଧ୍ୟ ଉପସ୍ଥିତ ରହିଥିଲେ ।
ଏହା ମଧ୍ୟ ପଢନ୍ତୁ-Dhamnagar ByPoll: ରାଜେନ୍ଦ୍ର ଦାସଙ୍କୁ ଟିକଟେ ନଦେବା ବିଜେଡିକୁ ପଡିବ କି ମହଙ୍ଗା
ଏହା ପରେ ଏହି ପ୍ରତିନିଧି ଦଳ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କୁ ଭେଟି ବେଜବରୁଆଙ୍କ ଆଉ ଗୋଟିଏ ବାସଗୃହ କିପରି ପୁନରୁଦ୍ଧାର ହୋଇପାରିବ ସେନେଇ ଆଲୋଚନା କରିଥିଲେ । ଏହି କାର୍ଯ୍ୟ ପାଇଁ ଓଡିଶା ସରକାର ୫୫ ଲକ୍ଷ ଟଙ୍କା ଦେଇଥିବା ବେଳେ ଆସାମ ସରକରା ମଧ୍ୟ ୫୦ ଲକ୍ଷ ଟଙ୍କା ଦେଇଥିଲେ ।
ଏନେଇ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ କହିଛନ୍ତି ଯେ, ''ବେଜବରୁଆଙ୍କ ସାଧନା ଗୃହ କାମ କେମିତି ଚାଲିଛି ତାହା ତଦାରଖ କରିବାକୁ ଆସାମ ସଂସ୍କୃତି ବିଭାଗର 2 ଜଣିଆ ପ୍ରତିନିଧି ଦଳ ଆସିଥିଲେ । ଏଥି ପାଇଁ ଆମେ ବହୁତ ଖୁସି ଅଛୁ । ସେମାନେ ତଦାରଖ କରିବା ସହ ବେଜବରୁଆଙ୍କ ଲିଖିତ ପୁସ୍ତକ, ପୁରୁଣା ଫଟୋ ସବୁ ବୁଲି ଦେଖିଥିଲେ। ''
ଇଟିଭି ଭାରତ, ସମ୍ବଲପୁର