ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ଡାଏରୀ ଫାର୍ମର 20 ଏକରରୁ ଊର୍ଦ୍ଧ୍ବ ଜମିକୁ ନେଇ ଉତ୍ପନ୍ନ ହୋଇଛି ଉତ୍ତେଜନା ପରିସ୍ଥିତି । ରାଉରକେଲା-ରାଷ୍ଟ୍ରୀୟ ଗୋକୁଲ ମିଶନରେ ସାମିଲ ଥିବା ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ଡାଏରୀ ଫାର୍ମର 20 ଏକରରୁ ଊର୍ଦ୍ଧ୍ବ ଜମିକୁ ଏକ ଘରୋଇ କମ୍ପାନୀ କଵଜା କରିବାକୁ ଉଦ୍ୟମବେଳେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଘରୋଇ କମ୍ପାନୀର ଏହି ଉଦ୍ୟମକୁ କୁଆଁରମୁଣ୍ଡାବାସୀ ବିରୋଧ କରିବାରୁ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।
କମ୍ପାନୀ ତରଫରୁ ଯେଉଁ ନିର୍ମାଣ କାମ କରାଯାଇଥିଲା, ରବିବାର ତାହାକୁ କମ୍ପାନୀ ଗାଡ଼ିରେ ହିଁ ଭାଙ୍ଗି ଦେବା ସହ ପୋଲିସ ଉପସ୍ଥିତିରେ ଫେରାଇବା ପରେ ଘଟଣାସ୍ଥଳରେ ଥିବା କୁଆଁରମୁଣ୍ଡାବାସୀଙ୍କ ଉତ୍ତେଜନା କମିଥିଲା।
ଏହି 20 ଏକର ଜମିରେ 2004 ମସିହାରେ ମୁଖ୍ୟମନ୍ତ୍ରୀ ମେଡିକାଲ କଲେଜ ଲାଗି ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ । ସେ ସମୟରେ ଡାଏରୀ ଫାର୍ମ କର୍ତ୍ତୃପକ୍ଷ ଇଡ଼କୋକୁ କଲେଜ ଲାଗି ଜମି ହସ୍ତାନ୍ତର କରିଥିଲେ । ମାତ୍ର କୌଣସି କାରଣରୁ ମେଡିକାଲ କଲେଜ ହୋଇ ପାରି ନଥିବାରୁ ପରେ ମହାବୀର ଘରୋଇ କମ୍ପାନୀ ସେହି ଜମିକୁ ଇଡ଼କୋ ଠାରୁ ଲିଜରେ ନେଇଥିଲେ । ଯାହାକୁ ବିରୋଧ କରିଥିଲେ କୁଆଁରମୁଣ୍ଡାବାସୀଙ୍କ ସମେତ ତତ୍କାଳୀନ ବିରମିତ୍ରପୁର ବିଧାୟକ ଜର୍ଜ ତିର୍କୀ ତଥା ସାଂସଦ ଜୁଏଲ ଓରାମ । ଯାହାପରେ କମ୍ପାନୀ କର୍ତ୍ତୃପକ୍ଷ ବାରମ୍ବାର ଜମି ନେବାକୁ ଉଦ୍ୟମ କରି ବିଫଳ ହୋଇଥିଲେ ।
ଶନିବାର ରାତିରେ କମ୍ପାନୀ ଭଡାରେ ଶତାଧିକ ଲୋକ ଆସି ଡାଏରୀ ଫାର୍ମ ଜମିରେ ପୁରାଇ ଜୋର ଜବରଦସ୍ତ କଵଜା କରିବାକୁ ଉଦ୍ୟମକୁ ବିରୋଧ କରାଯାଇଛି । ସୂଚନାଯୋଗ୍ୟ ଯେ, 200 ଏକର ପରିମିତ ଏହି ଜମିରେ ଶହଶହ ଉନ୍ନତ ଧରଣର ଗାଈ, ଛେଳି ଆଦି ରହିଛନ୍ତି । ଏଠାରେ ଗୋପାଳନ ଏବଂ ଗୃହପାଳିତ ପ୍ରାଣୀ ଖାଦ୍ୟ ଚାଷ ସମ୍ବନ୍ଧୀୟ ପ୍ରଶିକ୍ଷଣକେନ୍ଦ୍ର ମଧ୍ୟ ରହିଛି ।
ଏହି ଜମିକୁ ସରକାର କୌଣସି ଜାତୀୟସ୍ତରର ସଂସ୍ଥାନ ପାଇ ସଂରକ୍ଷିତ ରଖିବା ପରିବର୍ତ୍ତେ ଏକ ପ୍ରାଇଭେଟ ସଂସ୍ଥାନକୁ ଦେବା ଏକ ବିବାଦ ସୃଷ୍ଟି କରିଛି । ସ୍ଥାନୀୟ ଲୋକଙ୍କ ପ୍ରତିବାଦକୁ ମଧ୍ୟ ସରକାର କର୍ଣ୍ଣପାତ କରୁନାହିଁ । ଆଗକୁ ବିବାଦ କି ରୂପ ନେଉଛି ତା ଉପରେ ସମସ୍ତଙ୍କ ନଜର। ତେବେ ବର୍ତମାନ ପରିସ୍ଥିତି ଉତ୍ତେଜନା ଥିବାରୁ ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ