ରାଉରକେଲା: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇଥିବା ବେଳେ ରାଉରକେଲା ସହରରେ ମଧ୍ୟ ଏହାର ପ୍ରକୋପ ଜାରି ରହିଛି । ଏନେଇ ସହରର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡିକରେ ସାଧାରଣ ଲୋକଙ୍କ ପାଇଁ କଟକଣା ଜାରି ରହିଛି ।
ତେବେ ରାଉରକେଲା ସରକାରୀ ଡାକ୍ତରଖାନାରେ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଥିବା ବେଳେ ମହାନଗର ନିଗମ କାର୍ଯ୍ୟାଳୟରେ କାହାର କିଛି କାମ ଥିଲେ ଅନଲାଇ କିମ୍ବା ମେଲ ଦ୍ବାରା ଅଭିଯୋଗ ପାଇଁ କୁହାଯାଇଛି । ସେହିପରି ଆରଟିଓ କାର୍ଯ୍ୟାଳୟ ସହିତ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ସମାନ ପରିସ୍ଥିତି ରହିଛି । ସାମାଜିକ ଦୂରତ୍ବ ପାଳନ କରିବା ପାଇଁ ଏହା ଆବଶ୍ୟକ ହୋଇପଡିଛି ।
ଗୁରୁବାର ରାଉରକେଲା ଏଡିଏମ ଆବୋଲି ସୁନୀଲ ନରୱାଣେ ସ୍ପଷ୍ଟ କରି କହିଛନ୍ତି ଯେ, ଭିଡ଼ ହେଉଥିବାରୁ ଯେକୌଣସି ଲୋକ ଦାବିପତ୍ର ଦେବାକୁ ଥିଲେ ଆଗରୁ ସମୟ ନେଇ ଆସନ୍ତୁ । କାରଣ ସହରରେ ସଂକ୍ରମିତ ହେଉଥିବା କୋରୋନା ପଜିଟିଭଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଖୁବ୍ ଶୀଘ୍ର କୋରୋନା ନିୟନ୍ତ୍ରଣରେ ଆସିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ