ସୁନ୍ଦରଗଡ: ରାଉରକେଲାରେ କୋଭିଡ୍ ଟିକାଦାନ କ୍ଷେତ୍ରରେ ପ୍ରଶାସନ ପକ୍ଷରୁ ଏକ ଅଭିନବ ପଦକ୍ଷେପ ନିଆଯାଇଛି । ଯେଉଁ ବ୍ୟକ୍ତିମାନେ ଶଯ୍ୟାଶାୟୀ ଅଛନ୍ତି କିମ୍ବା ଭିନ୍ନକ୍ଷମ ତଥା ଅତ୍ୟନ୍ତ ବାର୍ଦ୍ଧକ୍ୟ କାରଣରୁ ଯେଉଁମାନେ ଟିକାକରଣ କେନ୍ଦ୍ରକୁ ଆସିପାରୁ ନାହାନ୍ତି ସେମାନଙ୍କୁ ଘରେ ଟିକା ଦିଆଯିବ । ଏଥିପାଇଁ ମଙ୍ଗଳବାର ଦିନ ‘ସଞ୍ଜିବନୀ ରଥ’ର ଶୁଭାରମ୍ଭ କରାଯାଇଛି ।
ଆରଜିଏଚ୍ ପରିସରରେ ଏହି ରଥକୁ ସ୍ଥାନୀୟ ବିଧାୟକ ତଥା ସୁନ୍ଦରଗଡ଼ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା, ରାଉରକେଲା ଏଡିଏମ୍ ଆବୋଲି ସୁନିଲ ନରୱଣେ ଏବଂ ଆରଜିଏଚ୍ ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
‘‘କୋଭିଡ୍ କ୍ଷେତ୍ରରେ ସଞ୍ଜିବନୀ ରଥ ଗୋଟିଏ ମାଇଲଷ୍ଟୋନ୍ ବୋଲି କହିଲେ ଭୁଲ୍ ହେବ ନାହିଁ । ଏଥିପାଇଁ ମୁଁ ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମକୁ ଧନ୍ୟବାଦ ଜଣାଉଛି । ଏହି ପଦକ୍ଷେପ ଏବେ ସହରର ଶଯ୍ୟାଶାୟୀ, ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ ଭାଇ ଭଉଣୀଙ୍କ ପାଇଁ ବିଶେଷ ସହାୟକ ହେବ’’, କହିଛନ୍ତି ବିଧାୟକ ସାରଦା ପ୍ରସାଦ ନାୟକ ।
ଏହି ସେବା ପାଇବା ପାଇଁ ଦିନ ୧୦ଟାରୁ ଅପରାହ୍ଣ ୪ଟା ଭିତରେ ୦୬୬୧-୨୫୧୦୦୩୬ ନମ୍ବରରେ ହିତାଧିକାରୀ ବା ତାଙ୍କ ପରିବାର ଲୋକେ କଲ୍ କରିପାରିବେ । ସେମାନେ ଏହା ପୂର୍ବରୁ ଟିକାକରଣ ପାଇଁ ପଞ୍ଜୀକରଣ କରିଥିବା ଦରକାର । ଲୋକଙ୍କ ଠାରୁ କଲ୍ ପାଇବା ପରେ ରାଉରକେଲା ମହାନଗର ନିଗମର ଟେଲି ମେଡିସିନ ଟିମ୍ ତାହାର ଅନୁଧ୍ୟାନ କରି ଯୋଗ୍ୟ ହିତାଧିକାରୀଙ୍କୁ କେଉଁଦିନ ଟିକା ଦିଆଯିବ ତାହାର ବ୍ୟବସ୍ଥା କରିବେ । ଟିକାଦାନ ପୂର୍ବରୁ ହିତାଧିକାରୀ ବା ତାଙ୍କ ପରିବାରକୁ ଏ ସମ୍ପର୍କରେ ଜଣାଇ ଦିଆଯିବ ।
‘‘କୋଭିଡ୍ ନିୟନ୍ତ୍ରଣ ପାଇଁ ଏକ ବଡ଼ ପଦକ୍ଷେପ ହେଉଛି ଟିକାକରଣ । ତେଣୁ ଯେଉଁ ବ୍ୟକ୍ତିମାନେ ଶାରୀରିକ ସମସ୍ୟା ପାଇଁ ଟିକଦାନ କେନ୍ଦ୍ରକୁ ଆସିପାରୁ ନାହାନ୍ତି ସେମାନଙ୍କ ଘରେ ପହଞ୍ଚି ଟିକା ଦେବା ଲାଗି ପ୍ରଶାସନ ଏହି ବ୍ୟବସ୍ଥା କରିଛି । ଲୋକଙ୍କ ଆବଶ୍ୟକତା ଅନୁଯାୟୀ ତଥା ଆଗକୁ ଯେତିକି ଯେତିକି ଟିକା ଆସୁଥିବ ସେହି ଅନୁଯାୟୀ ଏହି କାର୍ଯ୍ୟକ୍ରମ ଜାରି ରହିବ’’, କହିଛନ୍ତି କମିଶନର ଦିବ୍ୟଜ୍ୟୋତି ପରିଡ଼ା ।
‘‘ଗତ ବର୍ଷ ସଞ୍ଜିବନୀ ରଥ ବରିଷ୍ଠ ନାଗରିକମାନଙ୍କୁ ବିଭିନ୍ନ ସହାୟତା ଯୋଗାଇ ଦେଇଥିଲା । ଏବର୍ଷ ଟିକାକରଣ ବେଳେ ଯେଉଁ ବରିଷ୍ଠ ନାଗରିକମାନେ କେନ୍ଦ୍ରକୁ ଆସିପାରୁ ନାହାନ୍ତି, ସେମାନଙ୍କ ଘରେ ପହଞ୍ଚି ଟିକା ଦେବାର ବ୍ୟବସ୍ଥା କରାଯିବ । ଦିବ୍ୟାଙ୍ଗମାନେ ମଧ୍ୟ ଏହି ସୁବିଧା ପାଇ ପାରିବେ’’, ଏହି ଅବସରରେ କହିଛନ୍ତି ରାଉରକେଲା ଏଡିଏମ୍ ଆବୋଲି ସୁନିଲ ନରୱଣେ ।
‘ସଞ୍ଜିବନୀ ରଥ’ ଘରକୁ ଘର ବୁଲି ଟିକାଦାନ କରିବ । ଏଥିରେ ଜଣେ ଫାର୍ମାସିଷ୍ଟ ଏବଂ ଜଣେ ଏନଏମ୍ କର୍ମୀଙ୍କୁ ନିୟୋଜିତ କରାଯାଇଛି । କୋଭିଡର ପ୍ରଥମ ଲହରୀ ବେଳେ ମଧ୍ୟ ରାଉରକେଲାରେ ସଞ୍ଜିବନୀ ରଥ ମଧ୍ୟ ଗଡ଼ିଥିଲା । ସେତେବେଳେ ୫ ହଜାରରୁ ଅଧିକ ହିତାଧିକାରୀଙ୍କୁ ବିଭିନ୍ନ ସେବା ପହଞ୍ଚାଇଥିଲା ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ