ରାଉରକେଲା: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କୁଆଁରୀ ମାତୃତ୍ବଙ୍କ ସଂଖ୍ଯା । ପୁଣି ଜଣେ କୁଆଁରୀ ମାଆ ଏବେ ନ୍ୟାୟ ପାଇଁ ବାର ଦୁଆର ହେଉଛି । ଏଭଳି ଏକ ଲଜ୍ଜାକର ଘଟଣା ଘଟିଛି ରାଉରକେଲାର ବନ୍ଧମୁଣ୍ଡା ଅଞ୍ଚଳରେ । ବନ୍ଧମୁଣ୍ଡା ଥାନା ଅଞ୍ଚଳରେ ପରିବାର ସହ ରୁହନ୍ତି ଜଣେ ଯୁବତୀ । ଘର ନିକଟରେ ଥିବା ସୁନିଲ ରାଜଙ୍କ ଘରକୁ ଉକ୍ତ ଯୁବତୀ ଯିବା ଆସିବା କରିବା ସହ ସୁନିଲଙ୍କ ପରିବାର ସଦସ୍ୟଙ୍କ ବିଭିନ୍ନ କାମ କରିଦେଉଥିଲେ ।
ଏହାର ସୁଯୋଗ ନେଇଥିଲେ ସୁନିଲ । ଘରକୁ ଯୁବତୀ ଜଣକ ଯିବା ଆସିବା କରୁଥିବାରୁ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ପକାଇ ଶାରୀରିକ ସମ୍ପର୍କ ରଖିଥିଲେ । ପରେ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିବାରେ ଲାଗିଲେ । ଉଭୟଙ୍କ ଏହି ସଂପର୍କ ବିଷୟରେ ଜାଣି ଦେଇଥିଲେ ସୁନିଲଙ୍କ ଆଉ ଜଣେ ସାଙ୍ଗ ତରୁଣ ।
ପରିବାର ଲୋକଙ୍କୁ ଜଣାଇଦେବା କହି ଉକ୍ତ ଯୁବକ ଜଣଙ୍କ ମଧ୍ୟ ଯୁବତୀଙ୍କୁ ବ୍ଲାକମେଲ କରିବାରେ ଲାଗିଲେ । ସେ ମଧ୍ଯ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ । ତେବେ ସାତ ମାସ ପୂର୍ବରୁ ଯୁବତୀ ଜଣଙ୍କ ଗର୍ଭବତୀ ହୋଇଥିଲେ ମଧ୍ୟ 2 ଯୁବକ ଆଉ ଧରାଛୁଆଁ ଦେଉ ନାହାଁନ୍ତି । ଯୁବତୀ ଜଣଙ୍କ ଏବେ କୁଆଁରୀ ମାଆ । ଫଳରେ ପୀଡିତା ଯୁବତୀ ଆଜି ବନ୍ଧମୁଣ୍ଡା ଥାନାରେ ଏତଲା ଦେବା ସହ ନ୍ୟାୟ ଭିକ୍ଷା କରିଛନ୍ତି । ନିଜ ଏତଲାରେ ଦର୍ଶାଇଛନ୍ତି ଉକ୍ତ ଯୁବକ ମାନେ ତାଙ୍କୁ ଓ ତାଙ୍କ ପରିବାରକୁ ଧମକ ଚମକ ଦେବା ସହ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି । ବନ୍ଧମୁଣ୍ଡା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ