ରାଉରକେଲା: କୋଭିଡ-19 ସଂକ୍ରମଣକୁ ନଜରରେ ରଖି ରାଉରକେଲା ମହାନଗର ନିଗମ ପକ୍ଷରୁ ନିଗମ କାର୍ଯ୍ୟାଳୟକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ ନିଷେଧାଦେଶ ଜାରି କରାଯାଇଛି । ଏହି କଟକଣା ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ।
ମହାନଗର ନିଗମରେ ଯଦି ଜନସାଧାରଣମାନଙ୍କର ବିଭିନ୍ନ ଆପତ୍ତି, ଅଭିଯୋଗ ଥାଏ, ତେବେ ଜନସାଧାରଣ ନିଗମର ଇ-ମେଲ ଆଇଡି rourkelamunicipality@gmail.comରେ ମେଲ୍ କରିପାରିବେ କିମ୍ବା ନିଗମର ଟୋଲ୍ ଫ୍ରି ହେଲ୍ପ ଲାଇନ ନମ୍ବର 1800-345-6103ରେ କଲ କରିପାରିବେ । ପ୍ରତ୍ୟେକ କାର୍ଯ୍ୟ ଦିବସର ଦିନ 10ଟାରୁ ସଂଧ୍ୟା ୫ଟା ମଧ୍ୟରେ ଯୋଗାଯୋଗ କରିପାରିବେ। ନିଗମର ଯେଉଁ ବିଭାଗ ସମ୍ବନ୍ଧୀୟ ଆପତ୍ତି ଅଭିଯୋଗ ଆସିଥିବ ସଂପୃକ୍ତ ବିଭାଗ ପକ୍ଷରୁ ଉକ୍ତ ବ୍ୟକ୍ତିଙ୍କୁ ଫୋନ କରି ସମସ୍ୟାର ସମାଧାନ ଲାଗି ଚେଷ୍ଟା କରାଯିବ ବୋଲି ଜଣାପଡ଼ିଛି।
କୋଭିଡ ସଂକ୍ରମଣକୁ ରୋକିବା ଆମ ସମସ୍ତଙ୍କ ଦାୟିତ୍ବ। ସମସ୍ତଙ୍କ ପ୍ରଚେଷ୍ଟାରେ କୋରୋନା ବିରୋଧୀ ଯୁଦ୍ଧରେ ରାଉରକେଲା ନିଶ୍ଚିତ ଜିତିବ। ବିଶେଷ କାମ ନଥିଲେ ଘରୁ ବାହାରିବା ଉଚିତ ନୁହେଁ। ବାହାରେ ଛେପ ପକାନ୍ତୁ ନାହିଁ। ସର୍ବଦା ମାସ୍କ ପିନ୍ଧନ୍ତୁ, ସାନିଟାଇଜର ବ୍ୟବହାର କରନ୍ତୁ ଏବଂ ନିଜ ହାତକୁ ଭଲ ଭାବେ ଧୁଅନ୍ତୁ। ଏଥିସହିତ ବୟସ୍କ ଲୋକମାନେ ଘରୁ ନବାହାରିବା ଲାଗି ନିଗମର କମିଶନର ଦିବ୍ୟଜ୍ୟୋତି ପରିଡ଼ା ନିବେଦନ କରିଛନ୍ତି।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ