ରାଉରକେଲା: ବର୍ଷାରେ କ୍ଷତ ହୋଇଗଲା ଅଢେଇ ଲକ୍ଷ ଟଙ୍କା । ରାଉରକେଲା ଟେଲିଫୋନ ଭବନ ବସ୍ତିରେ ଜଣେ 70 ବର୍ଷୀୟା ବୃଦ୍ଧାଙ୍କ ଅଢେଇ ଲକ୍ଷ ଟଙ୍କା ବର୍ଷାରେ କ୍ଷତ ହୋଇଯାଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଟେଲିଫୋନ ବସ୍ତିର 70 ବର୍ଷୀୟା ଗରୀବ ବୃଦ୍ଧା ବୁଧନୀ ନାୟକ। ଯିଏ ଏକ ଜରି ପାଲ ତଳେ ରୁହନ୍ତି । ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ପରିବାରକୁ ମାଡିଆସିଥିଲା ଅଭାବ ଅନଟନ । ଶେଷରେ କିଛି ଉପାୟ ନପାଇ ଭିକ ମାଗି ଚଳୁଛନ୍ତି ।
ତେବେ ବର୍ଷ ବର୍ଷ ଧରି ଭିକ ମାଗି ଘରଟିଏ ତୋଳିବା ପାଇଁ ଅଢେଇ ଲକ୍ଷ ଟଙ୍କା ସାଇକି ରଖିଥିଲେ ସେ । ମାତ୍ର ତାଙ୍କ ସ୍ବପ୍ନ କ୍ଷଣକରେ ଚୁନା ହୋଇଯାଇଛି । କାରଣ ଗତ ଦୁଇ ଦିନ ଧରି ଲଗାଣ ବର୍ଷାରେ ତାଙ୍କ ପଇସା ବସ୍ତା କ୍ଷତ ଖାଇଯାଇଛି ।
ଏହା ପୂର୍ବରୁ ସେ କିଛି ଲୋକଙ୍କୁ ବ୍ୟାଙ୍କରେ ଟଙ୍କା ବଦଳାଇବା ପାଇଁ କହିଥିଲେ। କିନ୍ତୁ ଦୁଃଭାଗ୍ୟ ବଶତଃ ତାହା ହୋଇପାରି ନଥିଲା । ଯାହା ଫଳରେ ଟଙ୍କା ବସ୍ତା କ୍ଷତ ଖାଇ ଯାଇଛି । ଏପଟେ ଏସମ୍ପର୍କରେ ବୃଦ୍ଧାଙ୍କ ଝିଅ ବସୁଙ୍କୁ ପଚରାଯିବାରୁ ତାଙ୍କୁ ଏସମ୍ପର୍କରେ ତାଙ୍କ ମା କହିନଥିବା ସେ କହିଛନ୍ତି ।
ତେବେ ଗରୀବ ବୃଦ୍ଧାଙ୍କୁ ସରକାରୀ ସହାୟତା ପ୍ରଦାନ ନିମନ୍ତେ ଅଞ୍ଚଳବାସୀ ଦାବି କରିଛନ୍ତି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ