ରାଉରକେଲା: ଷ୍ଟିଲ ସିଟିରେ ଲକ୍ ଡାଉନ୍ର 3ୟ ଦିନ। ସକାଳୁ ପରିବା ମାର୍କେଟରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଆଳୁ ଆସିବା ମାତ୍ରକେ ସାଧାରଣ ଲୋକ ଭିଡ ଜମେଇଥିଲେ । ଏଥିସହ ମାର୍ ପିଟ ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିବିଥିଲା । ପରେ ପୋଲିସର ହସ୍ତକ୍ଷେପ ଫଳରେ ଲୋକମାନେ ଓ ଦୋକାନୀମାନେ ଲାଇନରେ ଠିଆ ହୋଇ ଆଳୁ କିଣିଥିଲେ। ପରିବା ମାର୍କେଟରେ ଦର ଟିକେ ବୃଦ୍ଧି ପାଇଥିଲା।
ପରିବା ନେଇ ଝାଡଖଣ୍ଡରୁ ଆସି ଥିବା ଟ୍ରକ ଚାଳକ ଅଭିଯୋଗ କରିଛନ୍ତି ଯେ, ଓଡିଶା ପୋଲିସ ହଇରାଣ କଲେ ସେ ଆଉ ପରିବା ନେଇ ଆସିବେ ନାହିଁ । ପଳରେ ବଜାର ଦର ଆକାଶ ଛୁଆଁ ହୋଇପାରେ । ଅନ୍ୟ ରାଜ୍ୟ ସରକାରଙ୍କ ସହିତ ଜିଲ୍ଲା ପ୍ରଶାସନର ତାଳମେଳ ଭଲ ରହିଲେ ସପ୍ଲାଇ ବାଧିତ ହେବ ନାହିଁ । ଆଳୁ ହୋଲସେଲ୍ 30 ଟଙ୍କାରେ ବିକ୍ରି ଆରମ୍ଭ ହୋଇ ଥିଲା । କିନ୍ତୁ ପ୍ରଶାସନର ହସ୍ତକ୍ଷେପ ପରେ ହୋଲସେଲରେ 21 ରୁ 24 ଟଙ୍କା ଦରରେ ବିକ୍ରି ହେଲା । ଖୋଲା ବଜାରରେ ମଧ୍ୟ ବହୁତ ସ୍ଥାନରେ ପ୍ରଶାସନର ହସ୍ତକ୍ଷେପ ପରେ ଦର କମିଥିଲା।
ଅଟା, ଡାଲି ସହିତ ଅନ୍ୟ ସାମଗ୍ରୀର ଦାମ ବୃଦ୍ଧି ରୋକିବା ପାଇଁ ମୁନାଫଖୋର ବ୍ୟବସାୟୀମାନଙ୍କ ଵିରୋଧରେ ପ୍ରଶାସନର କୌଣସି କାର୍ଯ୍ୟାନୁଷ୍ଠାନ ନହେବା ଯୋଗୁଁ ମୁନାଫାଖୋରମାନେ ଚଢା ଦରରେ ଖାଇବା ସାମଗ୍ରୀ ବିକୁଛନ୍ତି।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ଘରେ ରହିବ ପାଇଁ ଲୋକଙ୍କୁ ଅନୁରୋଧ କରି ଲକ୍ ଡାଉନ କରିଥିବା ବେଳେ ଷ୍ଟେସନ ବାହାର ଛକରେ ଶତାଧିକ ଲୋକ ବାହାରେ ରହୁଛନ୍ତି। କାହାର ଘର ନାହିଁ ତ କିଏ ଘରକୁ ଫେରି ନପାରି ରାସ୍ତାରେ ଫସି ରହିଛନ୍ତି। ଲୋକେ କଦଳୀ କିମ୍ବା ବ୍ରେଡ ଦେଲେ ସେମାନେ ଖାଉଛନ୍ତି । ଏହି ଭଳି ଲୋକଙ୍କୁ ଆଶ୍ରୟ ସ୍ଥଳରେ ରଖିବାର ବ୍ୟବସ୍ଥା କରାଯିବା ଉଚିତ୍ ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ