ରାଉରକେଲା: ରାଉରକେଲାର ଜଣେ ସାମ୍ବାଦିକଙ୍କ ସାଂଘାତିକ କାର୍ଯ୍ୟ । ଜଣେ ମହିଳା ଓ ମହିଳାଙ୍କ ମା’କୁ 40 ଦିନ ଧରି ବନ୍ଦୀ ରଖିଥିଲେ ଅଭିଯୁକ୍ତ ସାମ୍ବାଦିକ । ତେବେ କାହିଁକି ଏମିତି କାଣ୍ଡ ଭିଆଇଛନ୍ତି ସାମ୍ବାଦିକ ଜଣକ ସ୍ପଷ୍ଟ ହୋଇନଥିଲେ ମଧ୍ୟ 40 ଦିନପରେ ପୋଲିସ ବନ୍ଦୀଥିବା ମହିଳା ଓ ତାଙ୍କ ମା’କୁ ଉଦ୍ଧାର କରି ଅଭିଯୁକ୍ତଙ୍କୁ ଗିରଫ କରିଛି ।
ଘଟଣା ଅନୁସାରେ ସାରନଗରୀରେ ଉଦ୍ଧାର ହୋଇଥିବା ମହିଳାଙ୍କ ସ୍ବାମୀଙ୍କ ଏକ ଔଷଧ ଦୋକାନ ଅଛି । ଏହି ଔଷଧ ଦୋକାନକୁ ଅଶୋକ ମହାନ୍ତି ନାମକ ଜଣେ ବ୍ୟକ୍ତି ଯିବା ଆସିବା କରୁଥିଲେ । ଏହାପରେ ଔଷଧ ଦୋକାନୀ ଓ ସଂପୃକ୍ତ ଯୁବକଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହେଲା ଏବଂ ଘରକୁ ମଧ୍ୟ ଯିବା ଆସିବା ଲାଗିରହିଲା । ଏହି ସମୟରେ ସଂପୃକ୍ତ ଅଭିଯୁକ୍ତ ଜଣକ ବିଭିନ୍ନ ସମୟରେ ଔଷଧ ଦୋକାନୀଙ୍କ ପତ୍ନୀଙ୍କୁ ଅସଦାଚରଣ କରିଆସୁଥିଲେ । ପରେ ଅଭିଯୁକ୍ତ ଜଣକ ନିଜ ପତ୍ନୀଙ୍କୁ ଗାଁକୁ ପଠାଇ ଦେଇ କୌଶଳକ୍ରମେ ଔଷଧ ଦୋକାନୀଙ୍କ ପତ୍ନୀ ଓ ତାଙ୍କ ଶାଶୂଙ୍କୁ କୌଣସି ମତେ ଘରକୁ ଡାକିଥିଲେ । ସେମାନେ ଅଭିଯୁକ୍ତର ଘରକୁ ଆସିବା ପରେ ମା’ ଝିଅଙ୍କୁ ଆଉ ଛାଡିନଥିଲା ସାମ୍ବାଦିକ । ସେହିଦିନ ଠାରୁ ବନ୍ଦୀ କରି ଉଭୟ ମା ଝିଅଙ୍କୁ ଘରେ ରଖିଥିଲା ଅଭିଯୁକ୍ତ ।
ଅନ୍ୟପଟେ ନିଜ ପତ୍ନୀ ଓ ଶାଶୂଙ୍କୁ ନପାଇ ଔଷଧ ଦୋକାନୀ ଜଣକ ତଙ୍ଗରପାଲି ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ କରି କୌଣସି ସଫଳତା ପାଇନଥିଲା । ହେଲେ ବନ୍ଦୀ ଥିବା ମା’ ଝିଅ କୌଣସି ମୋତେ ଫୋନ କରିଥିଲେ ନିଜ ଭଉଣୀଙ୍କୁ । ଏହାପରେ ଏହି ଫୋନ କଲକୁ ଆଧାର କରି ପୋଲିସ ସେମାନଙ୍କୁ ଉଦ୍ଧାର କରିବା ସହ ସଂପୃକ୍ତ ସାମ୍ବାଦିକ ଅଶୋକ ମହାନ୍ତିଙ୍କୁ ଗିରଫ କରିଛି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ