ରାଉରକେଲା: ଝାଡଖଣ୍ଡର ଧାନବାଦରୁ ଚାଲି ଚାଲି ଆସୁଥିବା ସୁନ୍ଦରଗଡ଼ ଜିଲ୍ଲା କୂତ୍ରା ବ୍ଲକର 28 ଜଣ ଶ୍ରମିକଙ୍କୁ ଅଟକାଇଛି ପୋଲିସ । ବୋକାରୋ ପୋଲିସ ଶ୍ରମିକଙ୍କୁ ଅଟକାଇବା ପରେ ଡାକ୍ତରୀ ଯାଞ୍ଚ କରିଥିବା ଜଣାପଡିଛି । ଶ୍ରମିକଙ୍କୁ ରାଜଗଙ୍ଗ ପଠାଯାଇଥିବା ବେଳେ ସେଠାରେ ପୋଲିସ ଏମାନଙ୍କର ଖାଇବା ଓ ରହିବା ବ୍ୟବସ୍ଥା କରିଛି ।
ଗ୍ରାମବାସୀମାନେ ଇଟିଭି ଭାରତକୁ ସୂଚନା ଦେଇ କହିଛନ୍ତି, ଶ୍ରମିକମାନେ ଧାନବାଦ ନିକଟ ରାଜଗଙ୍ଗର ଏକ କନଷ୍ଟ୍ରକ୍ସନରେ କାମ କରୁଥିଲେ । ଠିକାଦାର ଫେରାର ହୋଇଥିବାରୁ ଗୁରୁବାର ଭୋକ ଉପବାସରେ 28 ଆଦିବାସୀ ଶ୍ରମିକ ନିଜ ଘରକୁ ଫେରିବା ପାଇଁ ଚାଲିଚାଲି ବାହାରି ଥିଲେ ।
କୋରୋନା ପାଇଁ ଦେଶରେ ଜାରି ରହିଥିବା ଲକଡାଉନ ଶ୍ରମିକଙ୍କ ଦୁଃଖ ବଢାଇଛି । କାମ ନପାଇ ନିଜନିଜ ଗାଁକୁ ଫେରିବାକୁ ବାଧ୍ୟ ହେଉଛନ୍ତି ଏମାନେ । ସୁନ୍ଦରଗଡ଼ ଜିଲ୍ଲା କୂତ୍ରା ବ୍ଲକର 28 ଜଣ ଶ୍ରମିକ ଝାଡଖଣ୍ଡର ଧାନବାଦରୁ ଚାଲି ଚାଲି ଆସୁଥିଲେ । ଏହି ଅସହାୟ ଆଦିବାସୀ ଶ୍ରମିକ ନିଜର ଜୀବିକା ହରାଇବା ପରେ ଭୋକ ଉପବାସରେ ଆସୁଥିବା ଜଣା ପଡ଼ିଥିଲା ।
ଧାନବାଦରୁ ଆସୁଥିବା ଶ୍ରମିକଙ୍କ ମଧ୍ୟରୁ କୂଟର ବ୍ଲକ ସାଧୁମୁଣ୍ଡା ଗାଁର 13 ଜଣ ଥିବା ବେଳେ 15 ଜଣ ପାଖ ରାଇକକଚର ଗାଁର ବୋଲି ଜଣାପଡିଛି । ଏମାନେ ସମସ୍ତେ ଆଦିବାସୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ଲୋକଙ୍କ ସୁବିଧା ପାଇ ଝାଡଖଣ୍ଡରେ ନୋଡାଲ ଅଫିସର ନିଯୁକ୍ତ କରିଥିବା ବେଳେ ଏହି ଆଦିବାସୀ ଶ୍ରମିକଙ୍କ ପାଖରେ କୌଣସି ସହାୟତା ପହଞ୍ଚି ପାରିନାହିଁ । ଏବେ ଝାରଖଣ୍ଡ ପୋଲିସର ସହାୟତାରେ ଶ୍ରମିକମାନେ ଖାଇବା ସୁବିଧା ପାଇଛନ୍ତି ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ