ବିଷାକ୍ତ ସାପ କାମୁଡାରେ ଅଜା ଓ ନାତି ମୃତ - ସାପ କାମୁଡାରୁ ମୃତ୍ୟୁ
ଏମିତି ବି ଆସିପାରେ ମୃତ୍ୟୁ । ଏକାଠି ଆଖି ବୁଜିଛନ୍ତି ଉଭୟ ଅଜା ଓ ନାତି । ଘଟଣାଟି ହେଉଛି ସୁନ୍ଦରଗଡ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ପ୍ରତାପପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଭୁକ୍ତ ରାଏବୋଗା ଥାନା ଭାଲୁକତା ଗ୍ରାମର ।

ରାଉରକେଲା: ଏମିତି ବି ଆସିପାରେ ମୃତ୍ୟୁ । ଏକାଠି ଆଖି ବୁଜିଛନ୍ତି ଉଭୟ ଅଜା ଓ ନାତି । ଘଟଣାଟି ହେଉଛି ସୁନ୍ଦରଗଡ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ପ୍ରତାପପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଭୁକ୍ତ ରାଏବୋଗା ଥାନା ଭାଲୁକତା ଗ୍ରାମର । ଏହି ଗାଁର ଅଧିବାସୀ ଚୁମନୁ ବିଲୁଙ୍ଗଙ୍କ ପିତା ସିଲବାନୁସ୍ ବିଲୁଙ୍ଗ(65) ଓ ପୁଅ ବିଶାଲ ବିଲୁଙ୍ଗ (10) ଘରେ ଶୋଇଥିବା ବେଳେ ସାପ କାମୁଡାରୁ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି ।
ସୂଚନା ଅନୁଯାୟୀ ଉଭୟେ ଅଜା ଓ ନାତି ରାତିରେ ଶୋଇଥିବା ସମୟରେ କୌଣସି ଏକ ବିଷଧର ସାପ ଉଭୟଙ୍କୁ କାମୁଡି ଥିଲା । ଏନେଇ ପରିବାର ଲୋକେ ଜାଣିବା ପରେ ତାଙ୍କୁ ତୁରନ୍ତ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ 108 ଆମ୍ବୁଲାନ୍ସ ଯୋଗେ ଆରଜିଏଚକୁ ନିଆଯାଇଥିଲା । ହେଲେ ଦୁର୍ଭାଗ୍ୟବଶତଃ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲା ।
ଅନ୍ୟପଟେ ଖବର ପାଇ ରାଏବୋଗା ପୋଲିସ ଡାକ୍ତରଖାନାରେ ପହଞ୍ଚି ଉଭୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବା ନେଇ ସୂଚନା ରହିଛି । ଏଥିସହ ପୋଲିସ ଉଭୟଙ୍କ ଘରୁ ବିଭିନ୍ନ ତଥ୍ୟ ସଂଗ୍ରହ କରିବା ସହ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ସେପଟେ ଏନେଇ ବୀରମିତ୍ରପୁର ତହସିଲଦାରଙ୍କୁ ମଧ୍ୟ ଅବଗତ କରାଯାଇଛି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ