ରାଉରକେଲା: ସହରରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା 26 ରେ ପହଞ୍ଚିଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ କୋଭିଡ ଯୋଦ୍ଧା ଡାକ୍ତରଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ରାଉରକେଲା ସରକାରୀ ଡାକ୍ତରଖାନାରେ କାମ କରୁଥିବା ଡାକ୍ତର ଅରୁଣ କୁମାର ଦାଶ ।
ସେ ଗତ କିଛିଦିନ ହେଲା ଅସୁସ୍ଥ ହୋଇ ରାଉରକେଲା ହାଇଟେକ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଶନିବାର ଡାକ୍ତର ଦାଶଙ୍କ ଅନ୍ତିମ ସଂସ୍କାର ବେଦବ୍ୟାସ ଘାଟରେ କୋଭିଡ ପ୍ରୋଟୋକଲ ଅନୁସାରେ ସମ୍ପନ୍ନ ହୋଇଛି । କୋରୋନା ଯୋଦ୍ଧା ଭାବେ ତାଙ୍କୁ ବେଦବ୍ୟାସରେ ଗାର୍ଡ ଅଫ ଅନର ଦିଆଯାଇଥିଲା ।
ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ସମେତ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । ଡାକ୍ତର ଦାଶଙ୍କ ଅନ୍ତିମ ସଂସ୍କାରରେ ସହରର ଅନ୍ୟ ଡାକ୍ତର ମାନେ ମଧ୍ୟ ଯୋଗ ଦେଇଥିଲେ । IMA ପକ୍ଷରୁ ମଧ୍ୟ ଗଭୀର ଶୋକ ପ୍ରକାଶ କରାଯାଇଛି।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ