ରାଉରକେଲା: ଗୋଟିଏ ପରିବାରର ସମସ୍ତ ସଦସ୍ୟ ଏକ କାର ଯୋଗେ ଉତ୍ତର ପ୍ରଦେଶ ଯାଉଥିବା ବେଳେ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହୋଇଛି । ମାତ୍ର ସୌଭାଗ୍ୟବଶତଃ କାରରେ ଥିବା କାହାରି ବିଶେଷ କ୍ଷତି ହୋଇନାହିଁ । ତେବେ ଦୁର୍ଘଟଣାରେ କାରଟି ସମ୍ପୂର୍ଣ ଭାବରେ ନଷ୍ଟ ହୋଇଯାଇଛି ।
କାରଟିର ଅବସ୍ଥା ଦେଖି ଭିତରେ ଥିବା ସମସ୍ତେ ସୁରକ୍ଷିତ ଅଛନ୍ତି ବିଶ୍ବାସ କରିବା କଷ୍ଟକର ହୋଇଛି । ତେବେ ଏହି ଘଟଣାକୁ ଦେଖଣାହାରୀ ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ ବୋଲି କହିଛନ୍ତି ।
ଆଜି ଦେବେନ୍ଦ୍ର ସିଂ କୁଲହାର ପରିବାର ସହ ନିଜ କାରରେ ରାଉରକେଲାରୁ ଉତ୍ତରପ୍ରଦେଶ ସ୍ଥିତ ସିଙ୍ଗରୋଲୀକୁ ଯାତ୍ରା କରୁଥିଲେ । ମାତ୍ର ରାଉରକେଲା ଠାରୁ 45 କିଲୋମିଟର ଦୂର କୁତ୍ରା ନିକଟରେ ଦେବେନ୍ଦ୍ରଙ୍କ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ରଖେ ହରି ତ ମାରେ କିଏ ? ଏତେ ବଡ଼ ଅଘଟଣ ଘଟିଥିବା ବେଳେ କାର ଯାତ୍ରୀଙ୍କ ବିଶେଷ କିଛି ହୋଇନଥିବା ବେଳେ ସେମାନେ ସାମାନ୍ୟ ଆହତ ହୋଇଛନ୍ତି । ଘଟଣାସ୍ଥଳରେ କୁତ୍ରା ପୋଲିସ ପହଞ୍ଚିଛି । ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି । କାରରେ ଥିବା ଏହି ପରିବାରର 3 ଜଣ ସାମାନ୍ୟ ଆହତ ହୋଇ ଚିକିତ୍ସା କରାଇଛନ୍ତି ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ