ରାଉରକେଲା: ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟାକୁ ଦୃଷ୍ଟିରେ ରଖି ଏବେ ସ୍ମାର୍ଟ ସିଟି ରାଉରକେଲାରେ ସୌରଶକ୍ତିର ବ୍ୟାପକ ବ୍ୟବହାର ଉପରେ ଦିଆଯାଇଛି ଗୁରୁତ୍ବ । ଏଥିପାଇଁ ବିଭିନ୍ନ ସରକାରୀ କୋଠାରେ ସୌର ଶକ୍ତି ପ୍ରକଳ୍ପ ସ୍ଥାପନ କରାଯିବ । ଏହା ଫଳରେ ସହରରେ ପ୍ରଦୂଷଣ ନିୟନ୍ତ୍ରଣ କରାଯାଇ ପାରିବ । ଏନେଇ ସ୍ମାର୍ଟ ସିଟି କାର୍ଯ୍ୟକ୍ରମ ଅଧୀନରେ ବିଭିନ୍ନ ସରକାରୀ କୋଠାରେ ୫୪ଟି ସୌରଶକ୍ତି ପ୍ରକଳ୍ପ ସ୍ଥାପନ କରାଯିବା ନେଇ ଯୋଜନା କରାଯାଉଛି ।
ଏହାର ପ୍ରଥମ ପର୍ଯ୍ୟାୟରେ ୧୪ଟି ସରକାରୀ କୋଠାରେ ଏହା ଆରମ୍ଭ ହେବାକୁ ଯାଉଛି। ବିଭିନ୍ନ ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ, ଡାକ୍ତରଖାନା, ଅନୁସୂଚିତ ଜାତି ଏବଂ ଜନଜାତି ବିଭାଗ ଅଧୀନରେ ଥିବା ହଷ୍ଟେଲ, ଷ୍ଟାଡିୟମ ଏବଂ ତାଲିମ କେନ୍ଦ୍ର ଆଦି କୋଠାରେ ଏହି ପ୍ରକଳ୍ପ ସ୍ଥାପନ କରାଯିବ। ଏନେଇ ରାଉରକେଲା ମହାନଗର ନିଗମ ଏବଂ ସ୍ଥାନୀୟ କୃଷି ଓ ବୈଷୟିକ ଷ୍ଟାର୍ଟଅପ୍ କୋଏଲ ଫ୍ରେସ୍ ପ୍ରାଇଭେଟ୍ ଲିମିଟେଡ୍ ଭିତରେ ନିକଟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି । ଏହା ସହିତ ରାଉରକେଲାବାସୀ କିଭଳି ଅଧିକରୁ ଅଧିକ ସଂଖ୍ୟାରେ ଏହି ଅକ୍ଷୟ ଶକ୍ତିର ବ୍ୟବହାର କରିବେ ସେଥିଲାଗି ମହାନଗର ନିଗମ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରାଯିବ । ବିଭିନ୍ନ ପ୍ରକାରର ପାରମ୍ପରିକ ଶକ୍ତି ଓ ଇନ୍ଧନର ବ୍ୟବହାର ଫଳରେ ଆମ ପରିବେଶ ଉପରେ ଏହାର କୁପ୍ରଭାବ ପଡ଼ୁଛି । ବାୟୁମଣ୍ଡଳରେ ଅଧିକ ପରିମାଣର ଅଙ୍ଗାରକାମ୍ଳ ସୃଷ୍ଟି ହେବା ଫଳରେ ତାହା ଜଳବାୟୁ ପରିବର୍ତ୍ତନ ଭଳି ଆହ୍ୱାନ ସୃଷ୍ଟି କରୁଛି । ତେଣୁ ଏହାର ମୁକାବିଲା ଲାଗି ପରିବେଶ ଅନୁକୂଳ ସୌରଶକ୍ତିର ବ୍ୟବହାର ଉପରେ ସାରାବିଶ୍ୱ ଏବେ ଗୁରୁତ୍ୱ ଦେଉଛି।
ତେବେ ଏ ଦିଗରେ ବିଧିବଦ୍ଧ ଭାବେ କାର୍ଯ୍ୟ କରିବାକୁ ରାଉରକେଲା ମହାନଗର ନିଗମ ଏବଂ ସ୍ମାର୍ଟ ସିଟି ପ୍ରଶାସନ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି। ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ମଧ୍ୟ ୩୨ଟି ବସ୍ତିରେ ପାଇଲଟ୍ କାର୍ଯ୍ୟକ୍ରମ ଭାବେ ସୋଲାର ଷ୍ଟ୍ରିଟ୍ ଲାଇଟ୍ ଓ ସୋଲାର ୱାଲ ମାଉଣ୍ଟେଡ୍ ଲାଇଟ୍ ଲଗାଯିବାର ପ୍ରସ୍ତାବ ରହିଛି । ଏହାସହ ଡିଏଭି ପୋଖରୀ ଆଖପାଖ ଅଞ୍ଚଳରେ ୩୦ ମେଗାୱାଟ ବିଶିଷ୍ଟ ସୋଲାର ପାର୍କ ସ୍ଥାପନ କରିବାକୁ ଲକ୍ଷ୍ୟ ରହିଛି।
‘ବ୍ଲୁମବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ’ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ନିକଟରେ ରାଉରକେଲା ବିଶ୍ୱର ୫୦ଟି ପ୍ରମୁଖ ସହର ମଧ୍ୟରେ ସ୍ଥାନ ପାଇଛି । ଏହି ପ୍ରତିଯୋଗିତା ପାଇଁ ମହାନଗର ନିଗମ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ସୌରଚାଳିତ ଶୀତଳଭଣ୍ଡାର ସ୍ଥାପନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ଏହି ଶୀତଳ ଭଣ୍ଡାର ସ୍ଥାପନ ହେଲେ ରାଉରକେଲା ଅଞ୍ଚଳର ଚାଷୀ, ଛୋଟ ଛୋଟ ପରିବା ଏବଂ ଫଳ ବ୍ୟବସାୟୀମାନେ ନିଜ ସାମଗ୍ରୀର ସଂରକ୍ଷଣକୁ ନେଇ ଯେଉଁ ଅସୁବିଧା ଭୋଗୁଛନ୍ତି ତା’ର ସମାଧାନ ହୋଇପାରିବ । ଏହା ସହିତ ବ୍ୟାଟେରିଚାଳିତ ଗାଡ଼ି ବ୍ୟବହାର କରି ଲୋକଙ୍କ ଦୁଆର ମୁହଁରେ ତାଜା ପନିପରିବା ଓ ଫଳ ପହଞ୍ଚାଯିବ । ଏ ସମସ୍ତ କାର୍ଯ୍ୟ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ପରିଚାଳନା କରିବେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ