ରାଉରକେଲା: ଭାଙ୍ଗିଲା ବ୍ରାହ୍ମଣୀ ସେତୁର ଆଉ ଏକ ସ୍ଲାବ । ଫଳରେ ସେତୁର ଉଭୟ ପାର୍ଶ୍ବରେ ପ୍ରାୟ 4 କିଲୋମିଟର ପର୍ଯ୍ୟନ୍ତ ଅଟକି ରହିଥିଲା ଶହ ଶହ ଗାଡି ମୋଟର । 143 ନଂ ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଠିଆ ହୋଇ ରହିଥିବା ବେଳେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯିବା ଆସିବା ଯୋଗ୍ୟ ରାସ୍ତାରେ ମରାମତି କାମ ଚାଲିଥିବାରୁ ଜାମ ଲାଗି ରହିଛି ।
ଏଭଳି ପରିସ୍ଥିତିରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ 1 ପ୍ଲାଟୁନ ପୋଲିସ ମୁତୟନ ହୋଇଥିଲେ ସୁଦ୍ଧା ଘଣ୍ଟା ଘଣ୍ଟା ଧରି ଜାମ ଲାଗି ରହିଛି । ପ୍ରକାଶ ଯେ 3 ବର୍ଷ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଦ୍ବିତୀୟ ବ୍ରାହ୍ମଣୀ ସେତୁର ଶିଳାନ୍ୟାସ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର କାମରେ ବିଶେଷ ଅଗ୍ରଗତି ହୋଇନାହିଁ । ଅନ୍ୟପଟେ ଏବେ ଭାଙ୍ଗି ଯାଇଥିବା ସ୍ଲାବ ସ୍ଥାନରେ ଏକ ଲୁହା ପ୍ଲେଟ ପକାଯାଇଛି । ହେଲେ ଲୋକମାନେ ପ୍ଲେଟ ଉପରେ ନିଜର ଗାଡି ନେଇ ଯିବାକୁ ଡରୁ ଥିବାରୁ ଗାଡି ମୋଟରର ଭିଡ ଲାଗି ରହିଛି ।
ବର୍ତ୍ତମାନ ଭିଡ ସାମାନ୍ୟ ନିୟନ୍ତ୍ରିତ ହେବା ସହ ଧିରେ ଧିରେ ସେତୁ ଦେଇ ଗାଡି ମୋଟର ଯିବା ଆରମ୍ଭ ହୋଇଛି ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ