ପୁରୀ: ଆଇସ୍କ୍ରିମ କାଠିରେ ଝଲସୁଛି ମା’ । ଏହି କାଠିର ବ୍ୟବହାର କରି ଦଶହରା ଶୁଭେଚ୍ଛା ଜଣାଇଲେ ପୁରୀ ସହରର ଯୁବ କଳାକାର ବିଶ୍ବଜିତ ନାୟକ । ପବିତ୍ର ଦଶହରା ଅବସରରେ ପୁରୀର ଯୁବ କଳାକାର ବିଶ୍ୱଜିତ ନାୟକ ସମସ୍ତଙ୍କୁ ନିଜର ନିଆରା ଆଇସ୍କ୍ରିମ କାଠି କଳାକୃତି ମାଧ୍ୟମରେ ଦଶହରା ଶୁଭେଚ୍ଛା ଦେଇଛନ୍ତି । ସେ ଆଇସ୍କ୍ରିମ କାଠିରେ ଦେବୀ ମାଆ ଦୁର୍ଗାଙ୍କ ମୁଖ ମଣ୍ଡଳ ପ୍ରତିକୃତି କରିଛନ୍ତି ।
ଦେବୀ ମାଆଙ୍କ ପ୍ରତିକୃତି ପାଇଁ ବିଶ୍ବଜିତ 275ଟି ଆଇସ୍କ୍ରିମ କାଠି ବ୍ୟବହାର କରିଛନ୍ତି । ଏହି ଆକର୍ଷଣୀୟ କଳାକୃତି ପାଇଁ ବିଶ୍ୱଜିତଙ୍କୁ ପ୍ରାୟ 6 ଦିନ ସମୟ ଲାଗିଥିଲା । ତେବେ ଚଳିତ ବର୍ଷ ମଧ୍ୟ କୋଭିଡ ମହାମାରୀ ଯୋଗୁଁ ନିରାଡମ୍ବର ଭାବେ କଟକଣାରେ ପୂଜା ଅନୁଷ୍ଠିତ ହେଉଛି । ଏଥିପାଇଁ ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କୁ ସେ ସରକାରଙ୍କ ନିୟମ ମାନିବାକୁ ଅପିଲ୍ କରିଛନ୍ତି । ପୂର୍ବରୁ ଆଇସ୍କ୍ରିମ କାଠି ଅନେକ କଳାକୃତି କରି ଚର୍ଚ୍ଚାରେ ରହି ସାରିଛନ୍ତି ବିଶ୍ବଜିତ୍ ।
ବର୍ତ୍ତମାନ ସେ ତିଆରି କରିଥିବା ମାଆଙ୍କ ପ୍ରତିକୃତି ବେଶ ଆକର୍ଷଣୀୟ ହୋଇଛି । ଆଇସ୍କ୍ରିମ କାଠିରେ କଳାକୃତି କରି ପୁରୀ କୁମୁଟି ପାଟଣାର ବଳରାମ ନାୟକଙ୍କ ସୁପୁତ୍ର ବିଶ୍ୱଜିତ ନାୟକ ଅନେକ ପୁରସ୍କାର ହାସଲ କରିଛନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ