ପୁରୀ: ନୂତନ ଶିକ୍ଷାନୀତି ଆଧାରରେ ପୁରୀରେ ଉଦଘାଟିତ ହୋଇଯାଇଛି ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ । ଜଗନ୍ନାଥଙ୍କ ନାମରେ ନାମିତ ଏହି ବେଦ ବିଦ୍ୟାଳୟକୁ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକାର୍ପିତ କରିଛନ୍ତି (Union education minister Dharmendra Pradhan) । ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ସଦାଶିବ ପରିସରରେ ଏହି ବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ ଆରମ୍ଭ ହୋଇଛି । ଏଥିରେ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ବେଦ, ଧର୍ମଶାସ୍ତ୍ର ସହ ବିଭିନ୍ନ କୌଶଳ ବିକାଶର ପାଠ୍ୟକ୍ରମରେ ସାମିଲ କରାଯିବ । ସର୍ବଭାରତୀୟସ୍ତରରେ ସମୁଦାୟ ପାଞ୍ଚଟି ଏଭଳି ବିଦ୍ୟାଳୟ ପ୍ରତିଷ୍ଠା ହେଉଥିବା ବେଳେ ପୁରୀରେ ଏହା ଆରମ୍ଭ ହେବା ଗୌରବର ବିଷୟ ।
ତେବେ ଏହି ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ସଦାଶିବ ପରିସରରେ ହିନ୍ଦୁ ଷ୍ଟଡିଜ୍ ପାଠ୍ୟକ୍ରମ ଆରମ୍ଭ କରାଯିବ । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Education minister) ଗଣମାଧ୍ୟମ ସମ୍ମୁଖରେ ଘୋଷଣା କରିଛନ୍ତି । ପ୍ରଥମଥର ପାଇଁ ଏହି ବିଶ୍ଵବିଦ୍ୟାଳୟ ପରିସରରେ ହିନ୍ଦୁଷ୍ଟଡିଜର ଦୁଇ ବର୍ଷିଆ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରାଯିବ । ଏହି ବିଭାଗରେ ୪୦ଟି ସିଟ୍ ରହୁଥିବା ବେଳେ ବେଦ ଦର୍ଶନ ଓ ପାରମ୍ପରିକ ଧର୍ମଶାସ୍ତ୍ର ସମ୍ପର୍କରେ ଶିକ୍ଷାଦାନ କରାଯିବ ।
ଏହାମଧ୍ୟ ପଢ଼ନ୍ତୁ..... ଆଜି ଉଦ୍ଘାଟନ ହେବ ବେଦ ବିଦ୍ୟା ପ୍ରତିଷ୍ଠାନ
ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ପରିସରରେ ଅନୁଷ୍ଠିତ ଏହି ଉଦଘାଟନ ସମାରୋହରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯଜ୍ଞ ଓ ପୂଜାପାଠ କରି ଏହି ବେଦ ବିଦ୍ୟାପାଠର ଶୁଭାରମ୍ଭ କରିଥିଲେ (Vedic school) । ଏହି ଅବସରରେ ପୁରୀ ଓ ବ୍ରହ୍ମଗିରି ବିଧାୟକ, ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର କୁଳପତି ଶ୍ରୀନିବାସ ବରଖେଡି, ବେଦ ବିଦ୍ୟାଳୟର ଉପାଧ୍ୟକ୍ଷ ପ୍ରଫୁଲ୍ଲ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ ।
ଏ ସମ୍ପର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ''କେବଳ ଏହା ପୁରୀ କି ରାଜ୍ୟ ଭିତରେ ସୀମିତ ନକରାଯାଉ । ଏହି ରାଷ୍ଟ୍ରୀୟ ଶିକ୍ଷାନୀତିକୁ ଆଗକୁ ନେବା ପାଇଁ ସମସ୍ତେ କାମରେ ଲାଗିଛନ୍ତି । ଏହି ରାଷ୍ଟ୍ରୀୟ ଶିକ୍ଷାନୀତିକୁ ଆଗକୁ ନେଇ ହିନ୍ଦୁ ଶିକ୍ଷାକୁ ସ୍ନାତକୋତ୍ତର ବିଭାଗରେ ଖୋଲିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ତେବେ ଏଠାରେ ଯେଉଁ ହିନ୍ଦୁ ଶିକ୍ଷାନୀତି ଚାଲିବ ତାହା ମହାପ୍ରଭୁ ଜଗନ୍ନାଥଙ୍କ ଆଧାରରେ ହିଁ ହେବ । ଏହାର କାରଣ ହେଉଛି ଭାରତୀୟ ପରମ୍ପରା, ହିନ୍ଦୁତ୍ବ ଓ ମହାପ୍ରଭୁ ଜଗନ୍ନାଥଙ୍କ ସଂସ୍କୃତିକୁ ଆହୁରି ପ୍ରଭାବଶାଳୀ ଭାବେ ନୂଆପିଢ଼ିକୁ ଯୋଡ଼ିବାର ବ୍ୟବସ୍ଥା ହେବ । ଏହି ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟର ପରିଚୟ ଶ୍ରୀ ଜଗନ୍ନାଥ ରାଷ୍ଟ୍ରୀୟ ବେଦ ବିଦ୍ୟାଳୟ ନାମରେ ପରିଚିତ ହେବ'' ।
ଇଟିଭି ଭାରତ, ପୁରୀ