ପୁରୀ:ଆଜି ପବିତ୍ର ହେରାପଞ୍ଚମୀ, ରଥ ଭାଙ୍ଗିବେ ମା' ମହାଲକ୍ଷ୍ମୀ । ଗୁଣ୍ଡିଚାଘରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ରାଗରେ ଭାଙ୍ଗିବେ ନନ୍ଦିଘୋଷ ରଥ । ଗୁଣ୍ଡିଚା ମନ୍ଦିରକୁ ଧର୍ମପତ୍ନୀଙ୍କୁ ସାଙ୍ଗରେ ନଆଣି ବଡ଼ଭାଇ ଓ ଭଉଣୀଙ୍କୁ ନେଇ ବୁଲି ଆସିଛନ୍ତି ମହାପ୍ରଭୁ । ଏଣୁ ପ୍ରଚଣ୍ଡ ରାଗରେ ଲକ୍ଷ୍ମୀ ଠାକୁରାଣୀ ରଥ ଭାଙ୍ଗି ମହାପ୍ରଭୁଙ୍କ ନନ୍ଦିଘୋଷ ଉପରେ ରାଗ ସୁଝାଇବେ ।

ପରେ ରାଗରେ ଜର୍ଜରିତ ହୋଇ ହେରାଗୌରୀ ସାହି ଦେଇ ଶ୍ରୀମନ୍ଦିରକୁ ବାହୁଡ଼ି ଯିବେ ଠାକୁରାଣୀ । ସୋମବାର ଜନ୍ମବେଦୀରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଥିଲା । ମହାପ୍ରଭୁଙ୍କ ଦତ୍ତ ମହାପାତ୍ର ସେବକମାନେ ଠାକୁରଙ୍କ ଶ୍ରୀମୁଖ ଶୃଙ୍ଗାର କରିଛନ୍ତି । ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଏହି ନୀତି ସମ୍ପନ୍ନ ହୋଇଛି । ଆଜି ଶ୍ରୀମନ୍ଦିରରୁ ମା’ଲକ୍ଷ୍ମୀଠାକୁରାଣୀ ଆସି ଗୁଣ୍ଡିଚାମନ୍ଦିରରେ ବିଜେ ହେବେ । ରାତି ସାଢେ ୯ଟାରେ ଠାକୁରାଣୀ ଗୁଣ୍ଡିଚାଘର ଜଗମୋହନରେ ବିଜେ ହେବାର ନୀତି ଧାର୍ଯ୍ୟ ହୋଇଛି । ଆଜି ନୀତି କାନ୍ତି ଶୃଙ୍ଖଳିତ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି ।
