ନୂଆଦିଲ୍ଲୀ: ସୁପ୍ରିମ କୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ଏବର୍ଷ ପୁରୀରେ ହେବନି ରଥଯାତ୍ରା । ଏ ସମ୍ପର୍କିତ ସମସ୍ତ କାର୍ଯ୍ୟକଳାପ ଉପରେ ସ୍ଥଗିତାଦେଶ ଜାରି କଲେ ସୁପ୍ରିମ୍ କୋର୍ଟ ।
ଚଳିତବର୍ଷ ଜୁନ 23 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ଉପରେ ସ୍ଥଗିତାଦେଶ ଜାରି କଲେ ସୁପ୍ରିମ କୋର୍ଟ । ଆଜି ରଥଯାତ୍ରା ହେବ କି ନାହିଁ ତାହାର ଶୁଣାଣି କରି ଏହି ରାୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।
ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଶୁଣାଣି କରୁଥିବା 3 ଜଣିଆ ଖଣ୍ଡପୀଠ ଏହି ସ୍ଥଗିତାଦେଶ ଜାରୀ କରିଛନ୍ତି । ଯଦି ରଥଯାତ୍ରା କରିବାକୁ ଆମେ ସୁଯୋଗ ଦେବୁ ତେବେ ପ୍ରଭୁ ଜଗନ୍ନାଥ ଆମକୁ କ୍ଷମା କରିବେ ନାହିଁ ବୋଲି ଶୁଣାଣି ସମୟରେ ପ୍ରଧାନ ବିଚାରପତି କହିଛନ୍ତି ।
ଏପରି ମହାମାରୀ ସମୟରେ ବହୁ ସଂଖ୍ୟକ ଲୋକ ଏକତ୍ରୀତ ହୋଇ ପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହାସହ ଜନସ୍ବାସ୍ଥ୍ୟ ଓ ନାଗରିକ ସୁରକ୍ଷା ଦୃଷ୍ଟିରୁ ରଥଯାତ୍ରା କରିବାକୁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ସୁପ୍ରିମ କୋର୍ଟ କହିଛନ୍ତି ।