ପୁରୀ: ବଳଙ୍ଗା ଥାନାରେ ଘଟିଛି ଭୟାବହ ବିସ୍ଫୋରଣ । ଆଉ ଏହି ବିସ୍ଫୋରଣ ଘଟଣାରେ ପୋଲିସ ଆଇଜି ନରସିଂହ ଭୋଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଏନେଇ ସେ ଏକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ସେହିପରି ସାଇଣ୍ଟିଫିକ ଟିମ ଦ୍ବାରା ଏହାର ତଦନ୍ତ କରାଯାଉଛି । କେଉଁ ପରିସ୍ଥିତିରେ ବିସ୍ଫୋରକ ଦ୍ରବ୍ୟକୁ ଥାନାରେ ରଖାଯାଇଥିଲା ଆଉ କିଭଳି ଏହା ବିସ୍ଫୋରଣ ହେଲା ତାର ତଦନ୍ତ ରିପୋର୍ଟ ସାଇଣ୍ଟିଫିକ ଟିମ ଦେବା ପରେ ସବୁକିଛି ଜଣାପଡିବ ବୋଲି ପୋଲିସ ଆଇଜି ସୂଚନା ଦେଇଛନ୍ତି ।
ସୂଚନାନୁସାରେ କୌଣସି ଏକ କେସରେ ବିପୁଳ ପରିମାଣର ବିସ୍ଫୋରକ ଦ୍ରବ୍ୟକୁ ଜବତ କରାଯାଇଥିଲା । ତେବେ ସେହି ସମୟରେ କେଉଁ ଥାନାଧିକାରୀଙ୍କ ଆଧାରରେ ଏହାକୁ ରଖାଯାଇଥିଲା ଆଉ ଏହି ଘଟଣାର ତଦନ୍ତ କରୁଥିଲେ, ସେନେଇ ତଦନ୍ତ କରାଯାଉଥିବା ନେଇ ସୂଚନା ଦେଇଛନ୍ତି ।
ତେବେ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ମାଲ ଖାନାରେ କିଛି ଜବତ ବିସ୍ଫୋରକ ଦ୍ରବ୍ୟକୁ ରଖାଯାଇଥିଲା । ଫଳରେ ଗତକାଲି ରାତି 12ଟା 15 ସମୟରେ ବିସ୍ଫୋରଣ ଏତେ ଶକ୍ତିଶାଳୀ ରହିଥିଲା, ଯାହାଫଳରେ ଥାନା ବିଲ୍ଡିଂରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ସୌଭାଗ୍ୟବଶତଃ ଥାନାରେ ସେହି ସମୟରେ କୌଣସି କର୍ମଚାରୀ ଉପସ୍ଥିତ ନ ରହିବା କାରଣରୁ କେହି ଆହତ ହୋଇନଥିବା ନେଇ ସୂଚନା ମିଳିଛି । ସେପଟେ ଏହି ଘଟଣାରେ ଯେଉଁ ଅଧିକାରୀ କାର୍ଯ୍ୟରେ ଅବହେଳା କରିଥିବେ, ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ସେହିପରି ପ୍ରତ୍ୟେକ ଥାନାକୁ ପୋଲିସ ବିଭାଗ ପକ୍ଷରୁ ଆଲର୍ଟ କରାଯାଇଛି । ସମସ୍ତ ଥାନାର ଅଧିକାରୀ ମାଲଖାନା ଚେକ କରି କୌଣସି ବିସ୍ଫୋରକ ଦ୍ରବ୍ୟ ଯେଭଳି ନ ଥାଏ, ତାହା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁଠି ବିସ୍ଫୋରକ ଦ୍ରବ୍ୟ ଜବତ ହେଉଛି ତାକୁ ତୁରନ୍ତ ନଷ୍ଟ କରିବା(Dispose) କରିବା ତଥା ସୁରକ୍ଷିତ ସ୍ଥାନରେ ରଖିବାକୁ ସବୁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ଭୟ ସୃଷ୍ଟିହେବା ସହ କେହିବି ସାଧାରଣ ଲୋକ କିମ୍ବା କର୍ମଚାରୀ ଆହତ ହୋଇଥିଲେ କିଏ ଦାୟୀ ରହିଥାନ୍ତା ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ