ପୁରୀ: ବଡ଼ଦାଣ୍ଡରେ ପହଞ୍ଚିଲେ ସ୍ପେନ ମହିଳା ହକି ଟିମ । ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସିଂହଦ୍ବାରରେ ସେମାନେ ପତିତପାବନଙ୍କୁ ଦର୍ଶନ କରିଛନ୍ତି । ଏହାପରେ ସେମାନେ ବେଳାଭୂମି ଯାଇ ବ୍ଲୁ ଫ୍ଲାଗ ବିଚ୍ ବୁଲି ସମୁଦ୍ର ସ୍ନାନ କରିଥିବା ଦେଖିବାକୁ ମିଳିଛି ।
ଏହି ଖେଳାଳୀମାନଙ୍କ ସହିତ ଜଣେ ଅଫିସିଆଲ କର୍ମକର୍ତ୍ତା ମଧ୍ୟ ଆସିଥିଲେ । ସେମାନେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଠାରେ ପହଞ୍ଚିବା ପରେ ସିଂହଦ୍ବାର ଥାନା ଅଧିକାରୀ ସୁନୀଲ ପ୍ରଧାନ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଟିମକୁ ସ୍ବାଗତ କରିବା ସହ ସିଂହଦ୍ବାର ବ୍ୟାରିକେଡ ଦେଇ ପ୍ରବେଶ କରି ଅରୁଣ ସ୍ତମ୍ଭ ନିକଟରେ ପତିତପାବନଙ୍କୁ ଦର୍ଶନ କରିଥିଲେ । ସେଠାରେ ଫଟୋ ସେସନ କରିବା ସହ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଥିବାରୁ ଖୁସିବ୍ୟକ୍ତ କରିଥିଲେ ସମସ୍ତ 17 ଜଣ ଖେଳାଳୀ ।
ପରେ ବେଳାଭୂମି ଯାଇ ବ୍ଲୁ ଫ୍ଲାଗ ବିଚ ବୁଲିବା ସହ ବେଳାଭୂମିରେ ସମୁଦ୍ରରେ ସ୍ନାନ କରିଥିଲେ । ଭୁବନେଶ୍ବରରେ ଚାଲିଥିବା FIH ଲିଗରେ ଖେଳିବା ପାଇଁ ସ୍ପେନର ଜୁନିଅର ମହିଳା ହକି ଦଳ ଭୁବନେଶ୍ବରରେ ରହିଛନ୍ତି । ଏହି ଅବସରରେ ସେମାନେ ପୁରୀ ଆସି ଭ୍ରମଣ କରି ଭୁବନେଶ୍ବର ଫେରି ଯାଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ