ପୁରୀ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି । ଭିତର କାଠରେ ମହାପ୍ରଭୁଙ୍କ ଦର୍ଶନକୁ କରୁ ମୁଖ୍ୟମନ୍ତ୍ରୀ ବେଶ ଭାବ ବିହ୍ବଳ ହୋଇଯାଇଥିଲେ । ହାତରେ ଦୀପ ଲଗାଇ ମହାପ୍ରଭୁଙ୍କୁ ପ୍ରଣାମ କରିଥିଲେ । ଏହାପରେ ନବୀନ ସେଠାରେ ଥିବା ସେବାୟତଙ୍କ ସମସ୍ୟା ପଚାରି ବୁଝିଥିଲେ ବୋଲି ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣ ଚନ୍ଦ୍ର ପ୍ରତିହାରୀ କହିଛନ୍ତି ।
ଜାତୀୟ ସ୍ମାରକୀ ପ୍ରାଧିକରଣର ପ୍ରସ୍ତାବିତ ଅଧିନିୟମ ଦ୍ବାରା ସେବାୟତ ନିଯୋଗ ବ୍ୟାପକ କ୍ଷତି ସହିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାର ଜବାବ ନବୀନ କହିଥିଲେ, ସେ ଏ ବିଷୟରେ ସମ୍ପୂର୍ଣ୍ଣ ଅବଗତ ଅଛନ୍ତି ଏବଂ କୌଣସି ସେବାୟତଙ୍କ କୌଣସି ସମସ୍ୟା ହେବ ନାହିଁ କହିଥିଲେ । ତେବେ ବର୍ତ୍ତମାନ ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇଲକୁ ପ୍ରତ୍ୟାହୃତ କରିଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ।
ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ ଲ’ ପ୍ରତ୍ୟାହାର ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ବିଜେଡି ସାଂସଦ ମଧ୍ୟ ସାକ୍ଷାତ କରିଥିଲେ । ସାଂସଦ ପିନୀକି ମିଶ୍ରଙ୍କ ନେତୃତ୍ବରେ ଦଳୀୟ ସାଂସଦ କଲେ ସାକ୍ଷାତ କରି ଏହି ଅଧିନିୟମ ଉପରେ ଆଲୋଚନା କରିଥିଲେ ।
ସେପଟେ, ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସଠିକ ସମୟରେ ସରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଓ ପୁରୀକୁ ହେରିଟେଜ ସିଟି ଭାବେ ନିର୍ମାଣରେ ସାମିଲ ଥିବା ପୁରୀର ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ସେ ପ୍ରଶଂସା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରଶଂସାରେ ଉତ୍ସାହିତ ପ୍ରଶାସନିକ ଅଧିକାରୀ ପୁରୀକୁ ହେରିଟେଜ ସିଟି କରିବାର କାର୍ଯ୍ୟକୁ ତ୍ବରାନ୍ବିତ କରିବେ ବୋଲି କହିଛନ୍ତି ।
ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ