ପୁରୀ: କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟାକାଣ୍ଡ ଘଟଣା । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଆରମ୍ଭ ହେଲା ଚଢ଼ାଉ । ତେବେ ପୁରୀ ସହରର ଜଣାଶୁଣା ସେବାୟତ ତଥା ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ଓରଫ କାଳିଆକୁ ହତ୍ୟା ମାମଲାରେ ପୋଲିସ ପକ୍ଷରୁ ଚଢାଉ ଜାରି ।
ତେବେ ବାରବାଟୀ ଜାଗାର (ଜାଗା ଆଖଡା ଘର) ସମ୍ପାଦକ ଥିବା ବରିଷ୍ଠ ସେବାୟତ ଜଣଙ୍କ ଆଜି ସକାଳ ସାଢେ ଦଶଟା ସମୟରେ ଜାଗା ନିକଟରେ ବସିଥିଲେ । ବାଇକରେ କିଛି ଦୁର୍ବୁତ୍ତ ବାରବାଟି ଜାଗାରେ ପହଞ୍ଚି କାଳିଆଙ୍କ ଉପରକୁ ଅତି ନିକଟରୁ ଗୁଳି କରିଥିଲେ । ସମୁଦାୟ ତିନି ରାଉଣ୍ଡ ଗୁଳି ଫୁଟିଥିବା ବେଳେ କାଳିଆଙ୍କ ମୁଣ୍ଡ ଓ ଛାତିରେ ଗୁଳି ବାଜିଥିଲା ।
ଗୁରୁତର ଅବସ୍ଥାରେ କାଳିଆଙ୍କୁ ଚିକିତ୍ସା ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏଥିସହ ଶବ ବ୍ୟବଚ୍ଛେଦ ଗୃହରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଦ୍ୱାରା ଶବ ବ୍ୟବଚ୍ଛେଦ କାରାଯାଇଛି ।
ଏହି ଘଟଣାପରେ ହସ୍ପିଟାଲରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ ପହଞ୍ଚିଥିଲେ । ଏଥିସହ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଧରିବା ଲାଗି ସ୍ୱତନ୍ତ୍ର ପୋଲିସ ଟିମ ଗଠନ କରାଯାଇଛି । ଏହି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ଏସପି କହିଛନ୍ତି ।
ସେହିପରି ଘଟଣାସ୍ଥଳରେ ନିଜେ ଏସପି ଓ ସହ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ କରିଛନ୍ତି । କାଳିଆଙ୍କ ହତ୍ୟା ଖବର ଶୁଣିବା ପରେ ହସ୍ପିଟାଲରେ ସେବାୟତଙ୍କ ସହ ଅନେକ ଯୁବକଙ୍କ ଭିଡ ଦେଖିବାକୁ ମିଲିଥିଲା । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁରୀ ଏସପି କନୱର ବିଶାଳ ସିଂଙ୍କ ସହ ଅତିରିକ୍ତ ଏସପି, ସମସ୍ତ ଥାନାର ଅଧିକାରୀ ଓ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ।
ସେହିଭଳି ହତ୍ୟା ଘଟଣାକୁ ନେଇ ମୃତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ସାନ ଭାଇ ନରସିଂହ ପ୍ରତିହାରୀ ଟାଉନ ଥାନାରେ ଲିଖିତ ଏତଲା ଦେଇଛନ୍ତି । ଏସପିଙ୍କ ତତ୍ବାବଧାନରେ ପୋଲିସ ପକ୍ଷରୁ ୪ଟି ଟିମ ଗଠନ କରାଯାଇ ତଦନ୍ତ ସହ ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ ଆରମ୍ଭ କରିଛି । ତେବେ ଗତ ୨୦୧୨ ସେପ୍ଟେମ୍ବର ୧୨ ତାରିଖରେ ବରିଷ୍ଠ ସେବାୟତ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଗୁନ ସିଂହାରୀକୁ ହତ୍ୟା କରାଯାଇଥିଲା ।
ମାତ୍ର ଏହି ଘଟଣାକୁ ନେଇ ପୋଲିସ କୃଷ୍ଣଚନ୍ଦ୍ର ପ୍ରତିହାରୀ ଓରଫ କାଳିଆ ସହ ୬ ଜଣଙ୍କୁ ଗିରଫ କରିଥିଲା । ପରବର୍ତ୍ତୀ ସମୟରେ କାଳିଆ ସୁପ୍ରିମକୋର୍ଟରୁ ଜାମିନରେ ଆସିଥିଲେ । ଗୁନ ସିଂହାରୀ ହତ୍ୟା ମାମଲାରେ ଗତ ଜାନୁଆରୀ ୨୦ରେ ପୁରୀ SDJM କୋର୍ଟ ପ୍ରମାଣ ଅଭାବରୁ କାଳିଆ ସମେତ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଖଲାସ କରିଥିଲା ।
ଅନ୍ୟପଟେ ମୃତ କାଳିଆ ପ୍ରତିହାରୀ କେବଳ ସୁଆର ମହାସୁଆର ନିଯୋଗର ସମ୍ପାଦକ ନୁହେଁ ବରଂ ବିଜେଡିର ଜଣେ ବରିଷ୍ଠ ନେତା ମଧ୍ୟ ଥିଲେ । ତେବେ କିଏ ଓ କାହିଁକି ଏଭଳି ଜଣେ ବ୍ୟକ୍ତିଙ୍କୁ ହତ୍ୟା କଲେ ଏନେଇ ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । ଏପଟେ ଏହି ହତ୍ୟାକାଣ୍ଡ ଘଟଣାକୁ ନେଇ ସେବାୟତ ପରିବାର ଓ ଶ୍ରୀକ୍ଷେତ୍ରରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ