ପୁରୀ: ପୁରୀ ପୋଲିସର ସାଂଘାତିକ କାର୍ଯ୍ୟ । ଜୋତା, ବେଲ୍ଟ, ହେଲମେଟ ପିନ୍ଧି ବାଇକରେ ବସି ଗୁଣ୍ଡିଚା ମନ୍ଦିର ଭିତରକୁ ପ୍ରବେଶ କଲେ ପୋଲିସ କର୍ମଚାରୀ । ଏହି ସଙ୍ଗୀନ ଅଭିଯୋଗ ପରେ ପୁରୀ ପୋଲିସକୁ ଚାରିଆଡୁ ପ୍ରଶ୍ନବାଣ ହୋଇଛି । କଣ ଆଇନରୁ ଉର୍ଦ୍ଧ୍ବରେ କି ପୁରୀ ପୋଲିସ ? ଏପଟେ ଏବେ ଯେଉଁ ଭିଡିଓଟି ଭାଇରାଲ ହେବାରେ ଲାଗିଛି, ସେହି ଭିଡିଓକୁ ନେଇ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ବଢିବାରେ ଲାଗିଛି ।
ଭାଇରାଲ ହୋଇଥିବା ଭିଡିଓରେ ପୋଲିସ କର୍ମଚାରୀ ଜଣଙ୍କ ଜୋତା, ବେଲ୍ଟ, ହେଲମେଟ ପିନ୍ଧି ବାଇକରେ ବସି ଗୁଣ୍ଡିଚା ମନ୍ଦିର ମୁଖ୍ୟ ଦ୍ବାର ଦେଇ ପ୍ରବେଶ କରୁଥିବା ଭିଡିଓ ରୁ ସ୍ପଷ୍ଟ ଜଣାପଡୁଛି । ଏଭଳି ଭିଡିଓକୁ ଦେଖି ଭକ୍ତ ମହଲରେ ତୀଵ୍ର ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ମହାପ୍ରଭୁଙ୍କ ଜନ୍ମ ସ୍ଥାନ ଗୁଣ୍ଡିଚା ମନ୍ଦିର ମୁଖ୍ୟ ଦ୍ବାରରେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀ ନିଜର ବାଇକ ନେଇ ସବୁଦିନ ରଖୁଛନ୍ତି। ଏଥି ସହିତ ଜୋତା ମାଡି ମନ୍ଦିର ଭିତରକୁ ମଧ୍ୟ ପ୍ରବେଶ କରୁଛନ୍ତି। କିନ୍ତୁ କେବେ କାହାର ନଜର କିଭଳି ପଡୁନଥିଲା ତାହାକୁ ନେଇ ଏବେ ଉଠିଛି ବଡ ପ୍ରଶ୍ନ ।
ଅନ୍ୟପଟେ ସମ୍ପୃକ୍ତ ପୋଲିସ କର୍ମଚାରୀ ଜଣଙ୍କ କାହିଁକି ଏଭଳି ଦୁଃସାହ କଲେ ତାହା ମଧ୍ୟ ସନ୍ଦେହରେ । କାରଣ ମହାପ୍ରଭୁଙ୍କ ଜନ୍ମବେଦୀର ସୁରକ୍ଷା ଓ ମନ୍ଦିରର ପବିତ୍ରତା ଠାରୁ ପୋଲିସ ବାବୁଙ୍କ ସାମାନ୍ୟ ବାଇକ ଖଣ୍ଡକ ମୁଲ୍ୟବାନ କି ? କେଉଁ ଉଦ୍ଦେଶ୍ୟରେ ପୋଲିସ ବାବୁ କୋଟି କୋଟି ହିନ୍ଦୁ ଧର୍ମାବଲମ୍ବୀଙ୍କ ଧାର୍ମିକ ଭାବନା, ଆସ୍ଥା ବିଶ୍ବାସ ପ୍ରତି କୁଠାରଘାତ କଲେ ? ଖାଲି ଜୋତା, ବେଲ୍ଟ, ହେଲମେଟ ପିନ୍ଧି ବାଇକରେ ବସି ମନ୍ଦିର ଭିତରକୁ ଯଇବା କେତେ ଦୂର ଗ୍ରହଣୀୟ ? ଏନେଇ ମନ୍ଦିର ପ୍ରଶାସନ ପୁରୀ ପୋଲିସ ସର୍ବୋପରି ରାଜ୍ୟ ସରକାର କଣ ପଦକ୍ଷେପ ନେବେ ? ତାହାକୁ ଅପେକ୍ଷା ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ