ପୁରୀ: ଶ୍ରୀମନ୍ଦିର ସେବାୟତଙ୍କ ଭିତରେ କୋଭିଡ ସଂକ୍ରମଣ ସଂଖ୍ୟା ବଢି ଚାଲିଛି । ଫଳରେ ସେବାୟତ ସୁରକ୍ଷା ଓ ଚିକିତ୍ସା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଟାଉନ ଥାନା ସାମ୍ନାରେ ଥିବା ନୀଳାଚଳ ଭକ୍ତ ନିବାସକୁ କେବଳ ଶ୍ରୀମନ୍ଦିର ସେବାୟତଙ୍କ ଚିକିତ୍ସା ପାଇଁ କୋଭିଡ କେୟାର ସେଣ୍ଟର କରାଯାଇଛି ।
ପୂର୍ବରୁ ଗତ ଅଗଷ୍ଟ 12 ରେ ଏକ ହୋଟେଲ ନିଆଯାଇ ପ୍ରଥମ କୋଭିଡ କେୟାର ସେଣ୍ଟର କରାଯାଇ ଏହା ଚାଲୁ ରହିଛି। ତେବେ ସେବାୟତଙ୍କ ଭିତରେ କୋଭିଡ ପଜେଟିଭ ସଂଖ୍ୟା ବଢୁ ଥିବା ଦେଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦ୍ୱିତୀୟ କୋଭିଡ କେୟାର ସେଣ୍ଟର ଭାବେ ନୀଳାଚଳ ଭକ୍ତ ନିବାସର 42 ଟି ରୁମ ନିଆଯାଇଛି ।
ସେଠାରେ କୋଭିଡ଼ ଆକ୍ରାନ୍ତ ସେବାୟତମାନେ ରହି ଚିକିତ୍ସିତ ହେବେ । ଯଦି ଅଧିକ ସ୍ୱାସ୍ଥ୍ୟବସ୍ଥା ବିଗିଡେ ତେବେ ଭୁବନେଶ୍ୱରରେ ଥିବା କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରର ବ୍ୟବସ୍ଥା ମଧ୍ୟ ରହିଛି । ସେହିପରି ରାଜ ନଅର ନିକଟରେ ଥିବା ହିନ୍ଦୀ ବିଦ୍ୟାପିଠରେ କେବଳ ସେବାୟତଙ୍କ ପାଇଁ କୋଭିଡ ଟେଷ୍ଟର ବ୍ୟବସ୍ଥା ହୋଇଛି ।
ସେହିପରି ଯେଉଁ ସେବାୟତଙ୍କର ଅଲଗା ଘର ସହ ଶୌଚଳୟ ରହିଛି ସେମାନଙ୍କୁ ହୋମ ଆଇସୋଲେସନରେ ରହିବା ପାଇଁ ବ୍ୟବସ୍ଥା ହୋଇଛି । ତେବେ କୋଭିଡ ପଜେଟିଭ ହୋଇଥିବା ସେବାୟତଙ୍କ ଚିକିତ୍ସା ଓ ସୁରକ୍ଷା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ଥିବାବେଳେ ଏନେଇ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି ।
ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ