ପୁରୀ: ଗତକାଲି(ଶୁକ୍ରବାର) ମହାପ୍ରଭୁ ନିଳାଦ୍ରୀ ବିଜେ କରିଛନ୍ତି । ପ୍ରଭୁଙ୍କ ନିଳାଦ୍ରୀ ବିଜେ ପରେ ଆଜି(ଶନିବାର) ତିନି ରଥରୁ ଘୋଡ଼ା, ସାରଥୀ, ପାର୍ଶ୍ଵ ଦେବଦେବୀ, ଓଲଟ ସୁଆ, ହଂସପଟା, କନିଆ ପଟା ଆଦି ଖୋଲାଯାଇଛି । ଏଗୁଡିକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁରକ୍ଷିତ ଭାବେ ରଖାଯାଇଛି ।
ପ୍ରତିବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ନୂଆ ରଥ ନିର୍ମାଣ ହୋଇଥାଏ । କିନ୍ତୁ ଘୋଡା, ସାରଥୀ, ଓଲଟ ସୁଆ, ହଂସ ପଟା, କନିଆ ପଟା, ଶିଖ ଡମ୍ବୁରୁ, ପାର୍ଶ୍ଵ ଦେବଦେବୀ ଆଦି ପୁନଃନିର୍ମାଣ ହୋଇନଥାଏ । ସବୁ ବର୍ଷ ଏଗୁଡିକୁ ରଙ୍ଗ କରାଯାଇ ରଥରେ ଲାଗି କରାଯାଇଥାଏ । କେବଳ ମହାପ୍ରଭୁଙ୍କ ନବକଳେବର ସମୟରେ ଏହି ପାର୍ଶ୍ବ ଦେବାଦେବୀ ଏବଂ ଘୋଡା ସାରଥୀ ଆଦି ନୂତନ ଭାବେ ନିର୍ମାଣ କରାଯାଇଥାଏ ।
ଅନ୍ୟପଟେ ରଥଯାତ୍ରା ନୀତିକାନ୍ତି ଶେଷ ପରେ ରଥ ଚକ ଏବଂ ବିଭିନ୍ନ ଅଂଶକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଉଦ୍ଦେଶ୍ୟରେ ବିକ୍ରି କରାଯାଇଥାଏ । ଯେଉଁମାନେ ରଥ ଚକ ସମେତ ବିଭିନ୍ନ ଅଂଶ ନେବାକୁ ଚାହାନ୍ତି ସେମାନେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଉପଯୁକ୍ତ ଅର୍ଥ ପଇଠ କରି ରଥ ସାମଗ୍ରୀ କିଣିଥାନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ