ପୁରୀ: ସୋମବାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଏହି ପବିତ୍ର ଦିନରେ ମଧ୍ୟ ଶ୍ରୀମନ୍ଦିରରେ ବଳଭଦ୍ର ଓ ଜଗନ୍ନାଥଙ୍କ ପାଇଁ ସ୍ବତନ୍ତ୍ର ରାକ୍ଷୀ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗହ୍ମାପୂର୍ଣ୍ଣିମା ଅବସରରେ ପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ ଲାଗି କରାଯିବ । ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ବେନିଭୁଜରେ ସୁନା ଲାଗିଥିବା ପାଟରାକ୍ଷୀ ଓ ଗୁଆରମାଳ ପୁଷ୍ପାଳକ ସେବକମାନେ ଲାଗି କରିବେ । ପାଟରା ବିଶୋଇ ସେବକ ଜଗନ୍ନାଥ ପାତ୍ରଙ୍କ ଘରେ ରାଖୀ ପ୍ରସ୍ତୁତି ଚାଲିଛି । ଚିତାଲାଗି ଅମାବାସ୍ୟା ପରଠାରୁ ଆରମ୍ଭ ହୋଇଥିବା ପାଟରାଖୀ ପ୍ରସ୍ତୁତି ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାସୁଙ୍ଗାପାଟ ସୂତା ଓ ଅନ୍ୟ ଆନୁଷଙ୍ଗିକ ସାମଗ୍ରୀ ଯୋଗାଇ ଦିଆଯାଇଛି ।
ଉଲ୍ଲେଖଯୋଗ୍ୟ ଯେ ନାଲି, ନେଳି, ବାଇଗଣୀ ଓ ହଳଦିଆ ରଙ୍ଗର ପାଟସୂତାକୁ ନରମ କରାଯାଇ ରାଖୀ ପ୍ରସ୍ତୁତ କରାଯାଇଥାଏ । ପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ପାଇଁ ୪ଟି ରାଖୀ ପ୍ରସ୍ତୁତ କରାଯାଉଛି । ସେହିପରି ୫୪ଟି ଗୁଆରେ ଗୋଟିଏ ମାଳ ପ୍ରସ୍ତୁତ କରାଯାଏ । ଏହିମାଳ ପ୍ରସ୍ତୁତ ହୋଇଥାଏ ୪ଟି ରଙ୍ଗରେ । ଶ୍ରୀଜଗନ୍ନାଥଙ୍କୁ ହଳଦିଆ ଓ ନାଲି ଗୁଆରମାଳ ଓ ପ୍ରଭୁ ବଳଭଦ୍ରଙ୍କୁ ନେଳି ଓ ବାଇଗଣୀ ରଙ୍ଗର ଗୁଆରମାଳ ଲାଗି ହୋଇଥାଏ । ରାକ୍ଷୀ ପୂର୍ଣ୍ଣମୀ ଦିନ ପାଳିତ ହେବ ବଳଭଦ୍ରଙ୍କ ଜନ୍ମ । ଗହ୍ମା ପୂର୍ଣ୍ଣମୀ ପୂର୍ବାହ୍ନରେ ଶ୍ରୀମନ୍ଦିରରୁ ଡାକରା ଆସିବା ପରେ ପାଟରା ସେବକ ରାକ୍ଷୀ ଓ ଗୁଆମାଳକୁ ତାଟରେ ଧରି ଶ୍ରୀମନ୍ଦିରକୁ ଯିବେ । ଭୋଗ ମଣ୍ଡପ ଶେଷହେବା ପରେ ୩ ବାଡରେ ମଇଲମ କରାଯିବ । ପୂଜାପଣ୍ଡା, ପତି ଓ ମୁଦିରସ୍ତ ତିନି ବାଡ଼ରେ ସର୍ବାଙ୍ଗ ଲାଗି କରିବେ । ମହାପ୍ରଭୁଙ୍କୁ ନୂଆଲୁଗା ଲାଗି କରାଯିବ । ପୁଷ୍ପାଳକ ସେବକ ଦୁଇ ଠାକୁରଙ୍କୁ ସୁନା ଲାଗିଥିବା ୪ଟି ପାଟରାକ୍ଷୀ ଓ ଗୁଆର ମାଳ ଲାଗି କରିବେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ