ପୁରୀ: ପବିତ୍ର ବିଜୟା ଦଶମୀରେ ମହାପ୍ରଭୁଙ୍କ ରାଜରାଜେଶ୍ବର ବେଶ ତଥା ସୁନାବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ। ଏହାକୁ ନେଇ ଭକ୍ତ ବେଶ ନିରାଶ ହୋଇଛନ୍ତି। ସକାଳୁ ଭକ୍ତ ମାନେ ଶ୍ରୀମନ୍ଦିର ସିଂହଦ୍ବାର ଆସି ପତିତପାବନଙ୍କୁ ମୁଣ୍ଡିଆ ମାରି ନୀଳଚକ୍ରକୁ ଦର୍ଶନ କରି ଫେରୁଛନ୍ତି।
ଶ୍ରୀମନ୍ଦିରରେ ପ୍ରତିବର୍ଷ ଦଶହରାରେ ମହାପ୍ରଭୁଙ୍କ ସୁନା ବେଶ ଦର୍ଶନ ପାଇଁ ବେଶ ଭିଡ଼ ହୋଇଥାଏ । ତେବେ କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖାଯାଇ ଭକ୍ତଙ୍କ ସୁରକ୍ଷା ପାଇଁ ଆଜି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ କରାଯାଇଛି। ଅଧିକ ଭିଡ଼ ହେଲେ କୋଭିଡ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଦର୍ଶନ ବନ୍ଦ ରଖାଯାଇଛି। ସେପଟେ ଆସନ୍ତା କାଲି ପୁରୀରେ ଶାରଦୀୟ ଦୁର୍ଗା ପୂଜାରେ ପୂଜା ପାଉଥିବା ଗୋଶାଣୀ ଦେବୀଙ୍କ ଭସାଣ ଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ଆସନ୍ତାକାଲି ଦିନ 12 ଟାରୁ ଭସାଣ ଉତ୍ସଵ ଶେଷ ଯାଏ ଶ୍ରୀମନ୍ଦିର ଚାରି ପାଖ ସମେତ ମରିଚିକୋଟ ଛକ ଯାଏ 144 ଧାରା କଟକଣା ରହିବ। କୌଣସି ଭକ୍ତଙ୍କୁ ଉପସ୍ଥିତ ରହିବା ପାଇଁ ସୁଯୋଗ ଦିଆଯିବ ନାହିଁ ।
ଗୋଶାଣୀ ଦେବୀ ଭାଷାଣ ଉତ୍ସବ ପୂର୍ବରୁ ଶ୍ରୀମନ୍ଦିର ସିଂହ ଦ୍ବାର ସମ୍ମୁଖରେ ସବୁ ଦେବୀ ମୂର୍ତ୍ତି ପହଞ୍ଚିବା ପରେ ପରମ୍ପରା ଅନୁଯାୟୀ ଦେବ ସଭା ଅନୁଷ୍ଠିତ ହୋଇଥାଏ। ପରେ ଶ୍ରୀମନ୍ଦିର ରେ ମହାଦୀପ ଉଠିବା ପରେ ମେଢ଼ ଗୁଡ଼ିକୁ ବିସର୍ଜନ ପାଇଁ ନିଆଯାଇ ଥାଏ। ଏହି ଦେବ ସଭା ଦେଖିବାକୁ ହଜାର ହଜାର ଭକ୍ତ ବଡ଼ ଦାଣ୍ଡରେ ଏକାଠି ହୋଇଥାନ୍ତି । ତେବେ ଭିଡ଼ ହେବା ଆଶଙ୍କାକୁ ନେଇ ପ୍ରଶାସନ ପକ୍ଷରୁ 144 ଧାରା ଜାରି କରାଯାଇଛି । ତେବେ ଆସନ୍ତା କାଲି ସକାଳୁ ଦିନ 12 ଟା ଯାଏ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲା ରହିବ। 12ଟା ପରେ ସାଧାରଣ ଦର୍ଶନ ବନ୍ଦ ରହିବ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ