ପୁରୀ: ଶ୍ରୀମନ୍ଦିର ପ୍ରଶାସନର ନୂଆ ଏକୀକୃତ ନିୟମକୁ ବିରୋଧ କରାଯାଇଛି। ତୁରନ୍ତ ଏହାର ପ୍ରତ୍ୟାହାର ଦାବି ନେଇ ଭିଟା ମାଟି ସୁରକ୍ଷା ମଞ୍ଚ ପକ୍ଷରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପୁରୀ ସହର ସମେତ ସଦର ଓ ବ୍ରହ୍ମଗିରି ଅଞ୍ଚଳର ୮୦ ହଜାର ପରିବାର ବିଭିନ୍ନ ମଠରୁ ଜମି କିଣି ଦୀର୍ଘବର୍ଷ ହେବ ବସବାସ କରିଆସୁଛନ୍ତି। ଦେବୋତ୍ତର ଆଇନ ଉଚ୍ଛେଦ ପରେ ଏସବୁ ସମ୍ପତ୍ତିର ମାଲିକାନା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅଧୀନକୁ ଚାଲିଯାଇଛି।
ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଦେବୋତ୍ତର ଆଇନ ଉଚ୍ଛେଦ ପରେ ଲୋକେ ଚିନ୍ତାରେ ପଡ଼ି ଯାଇଥିବା ଅଭିଯୋଗ ହୋଇଛି। ମହାପ୍ରଭୁ ଜଗନ୍ନାଥଙ୍କ ମାର୍ଫତ ଶ୍ରୀମନ୍ଦିର ପରିଚାଳନା କମିଟି ନାମରେ ରେକର୍ଡ ହୋଇଥିବା ଜମି ବିବାଦର ବ୍ୟାପକ ଆଲୋଚନା କରାଯାଇଥିଲା। ୨୦୦୩ ମାର୍ଚ୍ଚ ୧୨ ତାରିଖରେ ଏକ ଖସଡ଼ା ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ଶ୍ରୀମନ୍ଦିର ପରିଚାଳନା କମିଟି ଜମି ରେଜିଷ୍ଟ୍ରେସନ କରିବା ନିମନ୍ତେ ଆଦେଶ ଦେଇଥିଲା। ଫଳରେ ଶତାଧିକ ଲୋକେ ପରିଚାଳନା କମିଟି ନିକଟରେ ଅର୍ଥରାଶି ଦାଖଲ କରି ଜମି ରେଜେଷ୍ଟ୍ରି କରାଇନେଲେ।
ବର୍ତ୍ତମାନ ନୂଆ ଏକୀକୃତ ନୀତି ଲୋକଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏହାର ତୀବ୍ର ପ୍ରତିବାଦ କରି ଭିଟାମାଟି ଅଧିକାର ମଞ୍ଚ ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯାଇଛି। ୨୦୦୩ ନୀତି ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ହଠାତ ଜମି ରେଜେଷ୍ଟ୍ରି ବନ୍ଦ କରିଦେଲେ। ବର୍ତ୍ତମାନ ସୁଦ୍ଧା ପାଖାପାଖି 10 ହଜାର ଆବେଦନ ପଡ଼ି ରହିଛି। ନିଜର ଜମି ଥାଇ ମଧ୍ୟ ଜନସାଧାରଣ ଜମିର କାଗଜପତ୍ର ଠିକ କରିନପାରି ଜମିକୁ ନିଜ କାର୍ଯ୍ୟରେ ଲଗାଇ ପାରୁନଥିବା ଅଭିଯୋଗ ହୋଇଛି।
୨୦୧୯ରେ ନୂତନ ଏକୀକୃତ ନୀତି ଅନୁଯାୟୀ ବର୍ତ୍ତମାନର ବଜାର ମୂଲ୍ୟକୁ ଆଧାର କରି ରେଜିଷ୍ଟ୍ରେସନ କରିବା ପାଇଁ କୁହାଯାଉଛି। ଯାହା ଫଳରେ ଲୋକଙ୍କୁ ଡେସିମିଲ ହିସାବରେ ରେଜିଷ୍ଟ୍ରେସନ ପାଇଁ ଲକ୍ଷ ଲକ୍ଷ ଟଙ୍କା ଦେବାକୁ ପଡିବ। ୨୦୧୯ ଫେବ୍ରୁଆରୀ ୨୩ ତାରିଖର ନୂଆ ଏକୀକୃତ ନୀତି ବରଖାସ୍ତ କରିବାକୁ ବିଧି ବିଭାଗକୁ ପଠାଇବା, ୨୦୦୩ ରୁ ୨୦୧୯ ମଧ୍ୟରେ ଦରଖାସ୍ତ ହୋଇଥିବା ସମସ୍ତ ଦରଖାସ୍ତକାରୀଙ୍କ ଜମିକୁ ତୁରନ୍ତ ପୁରୁଣା ସମାନ ନୀତି ଅନୁଯାୟୀ ରେଜିଷ୍ଟ୍ରି କରିବାକୁ ଭିଟାମାଟି ଅଧିକାର ମଞ୍ଚ ଦାବି କରିଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ