ପୁରୀ: ପିପିଲିରେ ଫ୍ଲାଇଂ ସ୍କ୍ବାର୍ଡ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଅଭିଯୋଗ । ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ଫାର୍ମ ହାଉସକୁ ଯାଞ୍ଚ କରିବାକୁ ଯାଇଥିବାବେଳେ ଆକ୍ରମଣର ଶିକାର ହୋଇଛନ୍ତି ଅଧିକାରୀ । ଆକ୍ରମଣରେ ଫ୍ଲାଇଂ ସ୍କ୍ବାର୍ଡ ମାଜିଷ୍ଟ୍ରେଟ ରବି ନାରାୟଣ ପାତ୍ରଙ୍କ ଅଣ୍ଟା ଏବଂ ମାଜିଷ୍ଟ୍ରେଟ ବିଜୟ କୁମାର କରଙ୍କ ହାତରେ ଗଭୀର ଆଘାତ ଲାଗିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ଆକ୍ରମଣକାରୀମାନେ କ୍ୟାମେରା ମଧ୍ୟ ଭାଙ୍ଗି ଦେଇଛନ୍ତି । ପିପିଲି ଥାନା ଏଏସଆଇ ବିନୟ କୁମାର ଦାସ, କ୍ୟାମେରାମ୍ୟାନ ଦୀପକ ପ୍ରଧାନ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ପିପିଲି ଡାକ୍ତରଖାନାରେ ଚିକିତ୍ସା କରାଯାଇଛି । ଆକ୍ରମଣରେ ଗୁରୁତର ଥିବା ରବି ନାରାୟଣ ପାତ୍ରଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି।
ସେପଟେ ଖବର ପାଇଁ ପୁରୀ ଏସପି ଓ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଘଟଣାର ତଦନ୍ତ ଜାରି ରହିଛି । ଘଟଣାସ୍ଥଳରୁ ଗୋଟିଏ ବାଇକ ଜବତ ହୋଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ