ପୁରୀ: 6 ଦଶନ୍ଧି ପରେ ଦର୍ଶକ ପୁଣି ଦେଖିଲେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓଡ଼ିଆ ଫିଲ୍ମ ଶ୍ରୀ ଲୋକନାଥ । ଫିଲ୍ମର ପୁର୍ନସଂରକ୍ଷଣ ପରେ ସୋମବାର ସନ୍ଧ୍ୟାରେ ପୁରୀ ଟାଉନହଲ୍ରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଏହି ନିଆରା ଫିଲ୍ମ ଦେଖିବାର ଲୋକେ ସୁଯୋଗ ପାଇଛନ୍ତି । ୧୯୬୦ ଏପ୍ରିଲ ୧୪ ତାରିଖରେ କ୍ୟାପିଟାଲ ପ୍ରେକ୍ଷାଳୟରେ ସିନେମା ଶ୍ରୀଲୋକନାଥ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରର ପ୍ରତିଟି କାହାଣୀ ଏବଂ ଚରିତ୍ର ଲୋକଙ୍କୁ ବାନ୍ଧି ରଖିପାରିଥିଲା । ରାଷ୍ଟ୍ରପତି ପୁରସ୍କାର ପାଇଁ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବେ ସୁନାମ ଅର୍ଜନ କରିଥିଲା ।
ପୂର୍ବରୁ ଓଡ଼ିଆ ସିନେମା କେତେ ସମୃଦ୍ଧ ଥିଲା ତାହା ଯୁବପିଢିଙ୍କୁ ଜଣାଇବା ପାଇଁ ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ ଏହି ଫିଲ୍ମର ସଂରକ୍ଷଣ ଏବଂ ପୁର୍ନରୁଦ୍ଧାର କରିଥିଲା । ଫିଲ୍ମରେ ଅକ୍ଷୟ ମହାନ୍ତି, ସାମୁଏଲ ସାହୁ, ଦୁଃଖୀରାମ ସ୍ବାଇଁ, ଇନ୍ଦ୍ରଜିତ, ମଣୀମାଳା, ଶାନ୍ତି, ଉର୍ବଶୀଙ୍କ ଭଳି ପ୍ରମୁଖ ଅଭିନେତା ଓ ଅଭିନେତ୍ରୀମାନେ ଅଭିନୟ କରିଥିଲେ । ଶ୍ରୀଲୋକନାଥ ଚଳଚିତ୍ର ସ୍ୱତନ୍ତ୍ର ସୋ ପୂର୍ବରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେବା ସହ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସ ବର୍ମା ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।
ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଗୁଡ଼ିକରେ ଆମ ସଂସ୍କୃତି ଓ ପରମ୍ପରାର ଗୈାରବ ଦେଖିବାକୁ ମିଳେ । କ୍ରମେ ତାହା ହଜିବାରେ ଲାଗିଛି । ସଂସ୍କୃତିର ପୁନର୍ଜାଗରଣ ପାଇଁ ସବୁ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ରାଜ୍ୟ ଯୋଜନା ବୋର୍ଡ ପୂର୍ବତନ ଉପାଧ୍ୟକ୍ଷ ତଥା ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଦାସବର୍ମା ପ୍ରକାଶ କରିଛନ୍ତି । ଶ୍ରୀଲୋକନାଥ ସିନେମାକୁ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣର ଏନ୍ତୁଡ଼ିଶାଳ ଭାବରେ ବର୍ଣ୍ଣନା କରିଛନ୍ତି ।
ଏହି ଅବସରରେ ଗତ ଦୁଇ ବର୍ଷ ମଧ୍ୟରେ ଓଡ଼ିଆ ଚଳଚ୍ଚିତ୍ର ଜଗତ ଯେଉଁ ବିଶିଷ୍ଟ କଳାକାରମାନଙ୍କୁ ହରାଇଛି, ସେମାନଙ୍କ ନିମନ୍ତେ ନିରବ ପ୍ରାର୍ଥନା କରିବା ସହ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଏଥିସହ ଶ୍ରୀ ଲୋକନାଥ ସମ୍ପର୍କିତ ଏକ ରଙ୍ଗୀନ ତଥ୍ୟ ପୁସ୍ତିକା ଉନ୍ମୋଚିତ ହୋଇଛି ।
ଇଟିଭି ଭାରତ, ପୁରୀ