ପୁରୀ: ପୁରୀ ଚକ୍ରତୀର୍ଥ ବେଳାଭୂମିରେ ପ୍ରସ୍ତାବିତ ନୂତନ ବ୍ଲୁଫ୍ଲାଗ ବିଚକୁ ତୀବ୍ର ବିରୋଧ । ବେଳାଭୂମି ବ୍ୟବସାୟୀକ ସଂଘ ସହ ବିଭିନ୍ନ ସଙ୍ଗଠନ ମିଳିତ ଭାବେ ଏକ ବିରାଟ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ କରିବା ସହ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କ୍ଷୁଦ୍ର ଓ ଉଠା ବ୍ୟବସାୟୀଙ୍କ ସହ ଶହ ଶହ ବସ୍ତିବାସିନ୍ଦା ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।
ଚକ୍ରତୀର୍ଥ ବେଳାଭୂମି ଅଞ୍ଚଳରେ ବସବାସ କରୁଥିବା ବସ୍ତି ବାସିନ୍ଦା ମାନେ ଗତ ୧୭ ତାରିଖରୁ ଅହୋରାତ୍ର ଧାରଣା ଦେଇଥିବା ବେଳେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ତୁରନ୍ତ ଏହି ବ୍ଲୁ ଫ୍ଲାଗ ବିଚ ବାତିଲ ପାଇଁ ପ୍ରଶାସନ ପାଖରେ ଦାବି ରଖିଛି ସଂଘ। ସମୁଦ୍ରକୂଳର ତୀର୍ଥଭୂମିକୁ ପର୍ଯ୍ୟଟନର କ୍ଷେତ୍ର ଭାବେ ପରିଣତ କରାଯାଉଥିବା ସହ ପର୍ଯ୍ୟଟକଙ୍କ ଠାରୁ ବେଆଇନ ଭାବେ ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି। ଏହି ଅଞ୍ଚଳରେ କଟକଣା ଯୋଗୁଁ ମତ୍ସ୍ୟଜୀବୀ, କ୍ଷୁଦ୍ର ବ୍ୟବସାୟୀ, ଲାଇଫଗାର୍ଡ ଓ ଫଟୋଗ୍ରାଫର ମାନେ ସେମାନଙ୍କ ଜୀବନ ହରାଇବା ଆଶଙ୍କା କରାଯାଉଛି।
ବ୍ଲୁଫ୍ଲାଗ ବିଚ ଜନବସତି ଠାରୁ ଦୂରରେ ହେବା ପାଇଁ ନିୟମ ଥିବାବେଳେ ଏହା ସହର ଉପକଣ୍ଠରେ କରାଯାଉଥିବାରୁ ବେଳାଭୂମି ସୁରକ୍ଷା ସମିତି ଏହାର ବିରୋଧ କରି ଆଜି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେପଟେ ବ୍ଲୁ ଫ୍ଲାଗ ବିଚ ନୁହେଁ ସମୁଦ୍ର କୂଳରେ କ୍ଷୁଦ୍ର ବ୍ୟବସାୟୀ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରାଯିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏନେଇ ବସ୍ତିବାସିନ୍ଦାଙ୍କ ସହ ଆସନ୍ତାକାଲି ଆଲୋଚନା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
ପୁରୀପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ