ଭୁବନେଶ୍ବର: ଗ୍ରାମ୍ୟ ପାନୀୟ ଜଳ ଯୋଗାଣ କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ । ବିଭିନ୍ନ ସମସ୍ୟାକୁ ନେଇ ଗାନ୍ଧୀମାର୍ଗରେ ଧାରଣା ଦେଇଛନ୍ତି ଓଡିଶା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ କର୍ମଚାରୀ । ସମାନ କାମକୁ ସମାନ ଦରମା, ଏସ.ଇ.ଏମକୁ ଉଚ୍ଛେଦ କରି ଗ୍ରାମ୍ୟ ଜଳ ଯୋଗାଣ କର୍ମଚାରୀ ଭାବେ ମାନ୍ୟତା ପ୍ରଦାନ କରିବା ନେଇ ୭ ଦଫା ପୂରଣ ଦାବିରେ କର୍ମଚାରୀ ମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି ।
ସୂଚନାନୁଯାୟୀ ରାଜ୍ୟର ବିଭିନ୍ନ ଜିଲ୍ଲାର ପଞ୍ଚାୟତ ମାନଙ୍କରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି କି ସେମାନେ ଦୀର୍ଘ ୨୦ ବର୍ଷ ଧରି ୮ ଘଣ୍ଟାରୁ ଅଧିକ ସମୟ କାର୍ଯ୍ୟ କରିଆସୁଥିଲେ ସୁଦ୍ଧା ମାତ୍ର ୨ହଜାର ଟଙ୍କା ପାରିଶ୍ରମିକ ମିଳୁଛି । ଯାହାକି ସେମାନଙ୍କ ପରିବାର ପ୍ରତିପୋଷଣରେ ବିଭିନ୍ନ ସମସ୍ୟା ଦେଖାଦେଇଛି ।
ସେପଟେ ଏହି ବିଭାଗ ଅଧିନରେ ୫ ହଜାରରୁ ଉର୍ଦ୍ଧ୍ବ କର୍ମଚାରୀ କାର୍ଯ୍ୟ କରି ନିଷ୍ପେସିତ ହେଉଥିବା ନେଇ ସୂଚନା ମିଳିଛି । କର୍ମଚାରୀମାନେ ବାରମ୍ବାର ଦରମା ବୃଦ୍ଧି ନେଇ ସରକାରଙ୍କ ନିକଟର ଦାବି କରି ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିବା ନେଇ ଜଳ ଯୋଗାଣ ତଥା ପମ୍ପ କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି । ଯଦି ଆଗାମୀ ଦିନରେ ସରକାର ତାଙ୍କ ପ୍ରତି ଧ୍ୟାନ ନ ଦିଅନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି କହିଛନ୍ତି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ କର୍ମଚାରୀ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ