ପୁରୀ: ରଥଯାତ୍ରା, ବାହୁଡ଼ାଯାତ୍ରା, ସୁନାବେଶ ଓ ଅଧରପଣା ପରେ ଭାଇଭଉଣୀଙ୍କ ସହ ନୀଳାଦ୍ରି ବିଜେ କରନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ । ସ୍ନାନଯାତ୍ରାରୁ ଛାଡ଼ିଥିବା ରତ୍ନ ସିଂହାସନରେ ପୁନଃ ଅବସ୍ଥାପିତ ହୁଅନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥିରେ ପାଳନ ହୁଏ ଏହି ଉତ୍ସବ । ଏହି ପରମ୍ପରା ଦୀର୍ଘ ବର୍ଷ ଧରି ହୋଇ ଆସୁଅଛି। ନୀଳାଦ୍ରି ବିଜେ ପହଣ୍ଡି ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଦଇତାପତି ନିଯୋଗ ସହ ଏନେଇ ଆଲୋଚନା କରାଯାଇ ପହଣ୍ଡି ହୋଇଥାଏ ।
ନୀଳାଦ୍ରି ବିଜେ ଦିନ ସନ୍ଧ୍ୟା ଧୂପ ନୀତି ସରିବା ପରେ ରଥରେ ଚାରମାଳ ବନ୍ଧାହୁଏ । ଏହାପରେ ଭକ୍ତଙ୍କୁ କିଛି ସମୟ ଦର୍ଶନ ଦିଅନ୍ତି ଠାକୁର । ପରେ ବିଜେ କାହାଳି ବାଜେ ଓ ବନ୍ଦାପନା ତଥା ଡୋରଲାଗି ନୀତି ଅନୁଷ୍ଠିତ ହୁଏ । ପୁଷ୍ପାଳକ ମହାଜନମାନେ ସର୍ବପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ହସ୍ତରେ ଧରି ଦକ୍ଷିଣୀ ଘରକୁ ବିଜେ କରାଇଥାନ୍ତି। ଏହାପରେ ଗୋଟି ପହଣ୍ଡିରେ ଚକ୍ରରାଜ ସୁଦର୍ଶନ, ଶ୍ରୀବଳଭଦ୍ର, ସୁଭଦ୍ରାଙ୍କ ପହଣ୍ଡି ହୋଇ ଗମ୍ଭୀରାକୁ ବିଜେ କରାଯାଏ।
ପହଣ୍ଡି ବିଜେ ପୂର୍ବରୁ ରତ୍ନସିଂହାସନ ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧାଯାଏ ଓ ଅଖଣ୍ଡ ବଇଠା ବସେ। ଠାକୁରମାନେ ପହଣ୍ଡିରେ ଆସିବାବେଳେ ମନ୍ଦିର ପରିସରରେ ଥିବା ଶୁଆଶାରୀ ଦେଉଳଠାରେ ପ୍ରସାଦ ଲାଗି, ଘସା, ବିଡି଼ଆ ମଣୋହି ଓ ବନ୍ଦାପନା ନୀତି ହୋଇଥାଏ। ଜଗମୋହନଠାରେ ମଧ୍ୟ ଏହି ନୀତି ପାଳିତ ହୁଏ।
ଭାଇଭଉଣୀଙ୍କ ପହଣ୍ଡି ପରେ ସବା ଶେଷରେ ରଥରୁ ଓହ୍ଲାଇ ଝୁଲି ଝୁଲି ଯାଆନ୍ତି କାଳିଆ ସାଆନ୍ତ । ଜଗନ୍ନାଥ ମହାପ୍ରଭୁ ପହଣ୍ଡି ବିଜେ କରି ଚାର ଉପରକୁ ଆସିଲେ ଲକ୍ଷ୍ମୀ ଠାକୁରାଣୀ ଭେଟ ମଣ୍ଡପକୁ ଆସିଥାନ୍ତି । ଭେଟ ମଣ୍ଡପରେ ଭଭୟଙ୍କର ଭେଟ ହୋଇଥାଏ । ମହାଲକ୍ଷ୍ମୀଙ୍କ ପକ୍ଷରୁ ଭିତରିଚ୍ଛ ବନ୍ଦାପନା ନୀତି ଅନୁଷ୍ଠିତ ହୋଇଥାଏ । ଏହି ସମୟରେ ପରମ୍ପର ଅନୁଯାୟୀ ମହାପ୍ରଭୁ ସିଂହଦ୍ୱାର ନିକଟରେ ପହଞ୍ଚିବା ବେଳେ ସାମୟିକ ଭାବେ ଦ୍ବାର ବନ୍ଦ ରହିଥାଏ ଓ କିଛି କ୍ଷଣ ପରେ ଦ୍ବାର ଖୋଲିଯାଏ । ପରେ ଯେତେବେଳେ ମହାପ୍ରଭୁ ଜୟ ବିଜୟ ଦ୍ୱାର ନିକତର ହୁଅନ୍ତି ଉକ୍ତ ଦ୍ବାର ଭିତର ପଟୁ ବନ୍ଦ କରାଯାଇଥାଏ । ଯାତ୍ରାରେ ତାଙ୍କୁ ସାଙ୍ଗରେ ନେଇ ନଥିବା ହେତୁ ଅଭିମାନିନୀ ଭଗବତୀ ଲକ୍ଷ୍ମୀ ଜୟବିଜୟ ଦ୍ବାର ବନ୍ଦ କରିଥା’ନ୍ତି । ଏହାପରେ ଉଭୟ ଶ୍ରୀଜଗନ୍ନାଥ ଓ ଲକ୍ଷ୍ମୀ ସାଆନ୍ତାଣୀଙ୍କ ମଧ୍ୟରେ ପରମ୍ପରାଗତ ବଚନିକା ହେବାପରେ ଦ୍ବାର ଫିଟା ହୋଇଥାଏ । ମହାପ୍ରଭୁ ପହଣ୍ଡି ବିଜେରେ ଭଣ୍ଡାର ଘରଠାରେ ପହଞ୍ଚିବା ପରେ ଗଇଁଠାଳ ଯାହା କି ରୁକ୍ମିଣୀ ବିବାହ ବେଳେ ପଡ଼ିଠାଏ ତାହା ଫିଟାଯାଏ ଓ ବନ୍ଦାପନା ନୀତି ହୁଏ । ଏହାପରେ ରସଗୋଲା ଓ ପାଟ ଶାଢ଼ା ଦେଇ ମହାଲକ୍ଷ୍ମୀଙ୍କ ମାନ ଭଞ୍ଜନ କରନ୍ତି ମହାପ୍ରଭୁ । ଶ୍ରୀମନ୍ଦିରରେ ଏହି ଗୋଟିଏ ଦିନ ରସଗୋଲା ଭୋଗ ହୋଇଥାଏ । ପରେ ଘସା, ବିଡିଆ ମଣୋହି ସରିଲେ ମହାପ୍ରଭୁ ରତ୍ନସିଂହାସନକୁ ବିଜେ କରିଥାନ୍ତି।
ସରିଯାଏ ବର୍ଷକର ଯାତ୍ରା । ସିଂହଦ୍ବାର ଦେଇ ନୀଳାଦ୍ରି ବିଜେ କରୁଥିବା କଳା ଶ୍ରୀମୁଖଙ୍କୁ ଚାହିଁ ରହିଥାଏ ଭକ୍ତ । ଆଉ ଭକ୍ତ ଆଖିରେ ପୁଣି ରହିଯାଏ ଗୋଟିଏ ବର୍ଷର ଅପେକ୍ଷା ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ