ପୁରୀ : ନୂତନ ଭାବେ ନିଯୁକ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ମାନେ ପୁରୀ ଗସ୍ତ କରିଛନ୍ତି । ଭାରତ ଦର୍ଶନ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଏହି ଅଧିକାରୀ ଗୁରୁବାର ପୁରୀରେ ପହଞ୍ଚିଥିଲେ । ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ବିନୟ କୁମାର ଦାଶ, ଉପ ଜିଲ୍ଲାପାଳ ଭବତାରଣ ସାହୁ, ଅତିରିକ୍ତ ଜିଲ୍ଲାପାଳ ସୁମନ୍ତ କୁମାର କରଙ୍କ ସହ ଅନ୍ୟାନ୍ୟ ପଦାଧିକାରୀ ପ୍ରମୁଖ ନୂତନ ଭାବେ ନିଯୁକ୍ତି ପାଇଥିବା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ସ୍ଥାନୀୟ ଅଞ୍ଚଳର ଏକ ପ୍ରଶାସନିକ କକ୍ଷରେ ଜିଲ୍ଲାରେ ଆରମ୍ଭ ହୋଇଥିବା ହେରିଟେଜ କରିଡର, ଡ୍ରିଙ୍କ ଫ୍ରମ ଟ୍ୟାପ ଏବଂ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ହେଉଥିବା ଜମି ଅଧିଗ୍ରହଣ ସଂପର୍କରେ ଅବଗତ କରାଇଥିଲେ ।
ଏହାପରେ ସେମାନେ ତାଳବଣିଆ ଯାଇ ଡ୍ରିଙ୍କ ଫ୍ରମ ଟ୍ୟାପ ସମ୍ପର୍କରେ ପଚାରି ବୁଝିଥିଲେ । ବ୍ଲୁଫ୍ଲାଗ ବିଚ ବୁଲି ସାରିବା ପରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ଏହି ଅଧିକାରୀମାନେ ହେରିଟେଜ କରିଡର ପରିକ୍ରମା କରିବା ସହ ଏଥି ସମ୍ପର୍କିତ ଜମି ଅଧିଗ୍ରହଣ ଓ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ । ପରେ ସେମାନେ କୋଣାର୍କ ବୁଲି ଦେଖିଥିଲେ । ଏହି କାର୍ଯ୍ୟକ୍ରମରେ ୧୭ ଜଣ ପ୍ରୋବେସନର ଅଧିକାରୀ ସାମିଲ ଥିଲେ । ଏବଂ ପୁରୀ ଦର୍ଶନରେ ଆସି ସେମାନେ ଖୁସି ବ୍ୟକ୍ତ କରିଥିଲେ । ଜିଲ୍ଲାପାଳ ସମର୍ଥ ବର୍ମା ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ