ପୁରୀ: ରାତି ପାହିଲେ ଶ୍ରାବଣ ମାସର ପ୍ରଥମ ସୋମବାର । ଦୀର୍ଘ 2 ବର୍ଷ ପରେ ଭୋଳାବାବାଙ୍କୁ ଜଳଲାଗି କରିବେ ଭକ୍ତ । କିଭଳି ଶ୍ରଦ୍ଧାଳୁ ଶୃଙ୍ଖଳିତ ଭାବେ ଦର୍ଶନ କରିବେ ସେନେଇ ପୁରୀ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଗତ ଦୁଇ ବର୍ଷ ହେବ କୋଭିଡ କଟକଣା ହେତୁ ବୋଲବମ୍ ଯାତ୍ରା ବନ୍ଦ ରହିଥିଲା । ତେଣୁ ଚଳିତ ବର୍ଷ ପ୍ରଭୁ ଲୋକନାଥଙ୍କ ପାଖରେ ବୋଲବମ୍ ଭକ୍ତଙ୍କ ବେଶ୍ ଭିଡ ରହିବ ବୋଲି ଆଶା କରାଯାଉଛି । ଏଣୁ ବୋଲବମ୍ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖାଯାଇ କିଭଳି ଶୃଙ୍ଖଳିତ ଦର୍ଶନ, ଜଳଲାଗି, ଶୃଙ୍ଖଳିତ ନୀତିକାନ୍ତି ହୋଇପାରିବ ସେନେଇ ପୁରୀ ଉପ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
ଲୋକନାଥ ମନ୍ଦିରର ସେବକ, ବରିଷ୍ଠ ପ୍ରଶାସନିକ ଅଧିକାରୀ, ସ୍ଥାନୀୟ ବଳିଆ ପଣ୍ଡା ଥାନା ଅଧିକାରୀ ଏହି ବୈଠକରେ ସାମିଲ ହୋଇଥିଲେ। ଏଥିରେ ନିଷ୍ପତ୍ତି ମୁତାବକ ପ୍ରଭୁ ଲୋକନାଥଙ୍କ ନୀତିକାନ୍ତି ସଠିକ୍ ସମୟରେ ହେବା ଆବଶ୍ୟକ । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ବ୍ୟାରିକେଡ ବ୍ୟବସ୍ଥା, ପୋଲିସ୍ ସହାୟତା କେନ୍ଦ୍ର ସମେତ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ଭକ୍ତଙ୍କ ପାଇଁ ଉପଲବ୍ଧ ରହିବ ।
ଯେଉଁ ଭକ୍ତମାନେ ମନ୍ଦିରକୁ ଯାଉଛନ୍ତି ସେବକ ମାନେ ତାଙ୍କ ଠାରୁ ଜୋର୍ ଜବରଦସ୍ତ ଦକ୍ଷିଣା ଆଦାୟ କରିବେ ନାହିଁ । ଭଲ ବ୍ୟବହାର ଦେଖାଇବେ । ସେହିପରି ରାଜ୍ୟ ସରକାରଙ୍କ କୋଭିଡ ଗାଇଡ ଲାଇନ ଅନୁଯାୟୀ ସବୁ ଭକ୍ତ ଓ ସେବକ ମାନିବେ । ପ୍ରଭୁ ଲୋକନାଥ ପୂଜକଙ୍କ ସୂଚନା ଅନୁଯାୟୀ ଶ୍ରାବଣ ମାସ ସୋମବାର ପାଇଁ ମଧ୍ୟ ରାତ୍ରରେ ଦ୍ୱାର ଫିଟା ପରେ ପ୍ରଭୁ ନୀତିକାନ୍ତି ହେବାପରେ ରାତ୍ର ଗୋଟାଏରୁ ବୋଲବମ୍ ଭକ୍ତ ମାନେ ପ୍ରଭୁ ଲୋକନାଥ ଠାରେ ଜଳଲାଗି କରିବେ ।
ଏଥିପାଇଁ ୨୦ଟଙ୍କା ଟିକଟ ଦର ରହିଛି । ଚଳିତ ବର୍ଷ ଶ୍ରାବଣ ସୋମବାରରେ ଭକ୍ତ ମାନେ କିଭଳି ଶୃଙ୍ଖଳାରେ ଦର୍ଶନ ସାରି ଫେରିବେ ସେନେଇ ଲୋକନାଥ ମନ୍ଦିରର ସମସ୍ତ ସେବକ ମାନେ ପ୍ରଶାସନ ସହିତ ସମନ୍ଵୟ ରଖି ସମସ୍ତ କାର୍ଯ୍ୟ କରିବେ ବୋଲି ମୁଖ୍ୟ ପୂଜକ ସନ୍ତୋଷ ପଣ୍ଡା ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ପୁରୀ