ପୁରୀ: ମଙ୍ଗୁ ମଠ ଉଚ୍ଛେଦ ଶେଷ । ମଠରେ ଥିବା 21ଟି ବ୍ୟବସାୟିକ ପ୍ରତିଷ୍ଠାନକୁ ଭାଙ୍ଗିଲା ପ୍ରଶାସନ । ମଠର ଆରାଧ୍ୟ ଦେବତାଙ୍କ ମନ୍ଦିର ଓ ମହନ୍ତ ଗାଦିକୁ ଛାଡି ସବୁ କିଛି ଉଚ୍ଛେଦ କରାଯାଇଛି । ଉଚ୍ଛେଦ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ନେଇ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।
10 ହଜାର ବର୍ଗଫୁଟ ଜାଗାରେ ଥିବା ଏହି ମଠର ଉଚ୍ଛେଦ ଗୁରୁବାର ଶେଷ ହୋଇଥିବାବେଳେ ଶ୍ରୀମନ୍ଦିର ଦୋଳ ବେଦୀ କୋଣରେ ଥିବା ସାନ ଛତାମଠ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ଏହା ରାମାନଦୀ ସମ୍ପ୍ରଦାୟର ମଠ ହୋଇଥିବାବେଳେ ମୋଟ 8 ଡେସିମିଲ ଜମିରେ ଏହି ମଠ ରହିଛି । ମଠର 16ଟି ପ୍ରକୋଷ୍ଠ ଖାଲି କରାଯାଇ ଉଚ୍ଛେଦ କରାଯାଉଛି ।
ତେବେ ମଠର ମନ୍ଦିର, ପୂଜାସ୍ଥଳି ଓ ଗାଦିକୁ ଉଚ୍ଛେଦ କରାନଯାଇ ଏହାର ବିକାଶ ନେଇ ସରକାର ବ୍ୟବସ୍ଥା କରିଥିବା ପୁରୀ ଉପ ଜିଲ୍ଲାପାଳ କହିଛନ୍ତି । ସାନ ଛତାମଠର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା ଅଧିକାର ରହିଛି । ଶ୍ରୀମନ୍ଦିର ସ୍ଵତ ଲିପି ଅନୁଯାୟୀ ମହାପ୍ରଭୁଙ୍କ ଚାମର ଆଲଟ ସେବା ରହିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ