ପୁରୀ: ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ବାଳିକନ୍ଦଳ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା l ଡିଜେ ଗାଡିରେ ଟେଣ୍ଟ କପଡା ଲାଗି ଚିରିଯିବାକୁ ନେଇ ପାଟିତୁଣ୍ଡ ହୋଇ ଥିଲା । ଫଳରେ ଏହାକୁ ନେଇ ଉଭୟ ପକ୍ଷରେ ଗଣ୍ଡଗୋଳ ଘଟି ଡିଜେ ଗାଡିର କର୍ମଚାରୀ ଟେଣ୍ଟ ମାଲିକକୁ ହାଣି ଫେରାର ହୋଇଯାଇଥିବା ଅଭଯୋଗ ହୋଇଛି l
ସୂଚନା ଅନୁସାରେ ଗତକାଲି ରାତିରେ ନିମାପଡା ଅଞ୍ଚଳର ବର ଓ ବରଯାତ୍ରୀ ଗୋପ ଥାନା ଅନ୍ତର୍ଗତ ବାଲିକନ୍ଦଳ ଗ୍ରାମର ଭାଗି ସାହୁଙ୍କ କନ୍ୟାକୁ ବିବାହ କରିବାକୁ ରୋଷଣୀ କରି ଫେରୁଥିବା ବେଳେ, ଡିଜେ ଗାଡିଟି ସେହି ଗାଁର ଅନ୍ୟ ଏକ ବିବାହ ପାଇଁ ସାଜସଜା ହୋଇଥିବା ଟେଣ୍ଟ କପଡାକୁ ଚିରିଦେଇଥିଲା । ସେଠାରେ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ଗୋପ ବ୍ଲକ ଏରବଙ୍ଗ ଗ୍ରାମର ଟେଣ୍ଟ ମାଲିକ ପପୁ ଓରଫ କାଳନ୍ଦୀ ପ୍ରଧାନ ଏକୁଟିଆ ଯାଇ ବାଲିକନ୍ଦଳ ଗାଁରେ ଡିଜେ ଗାଡିଟିକୁ ଅଟକାଇଥିଲେ । ଏହାପରେ ଡିଜେ ଗାଡ଼ିରେ ଥିବା କର୍ମଚାରୀମାନେ ପପୁକୁ ହାଣି ରାସ୍ତାରେ ଫିଙ୍ଗି ଫେରାର ହୋଇଯାଇଥିଲେ ।
ଖବରପାଇ ରକ୍ତ ଜୁଡୁବୁଡୁ ଗୁରୁତର ଅବସ୍ଥାରେ ପଡ଼ିଥିବା ପପୁକୁ ଗାଁ ଲୋକେ ଗୋପ ମେଡିକାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଡାକ୍ତର ପପୁକୁ ମୃତ ଘୋଷଣା କରିବା ପରେ ଏରବଙ୍ଗ ଗ୍ରାମର ଶତାଧିକ ଉତ୍ତ୍ୟକ୍ତ ଲୋକେ ଭାଗିଙ୍କ ବିବାହ ମଣ୍ଡପକୁ ଭଙ୍ଗାରୁଜା କରିବା ସହିତ ଭୋଜି ଖାଦ୍ୟକୁ ଫୋପାଡ଼ିଥିଲେ ।
ଘଟଣା ସ୍ଥଳରେ ଗୋପ, କୋଣାର୍କ, ନିମାପଡା ଆଇଆଇସି ଓ ନିମାପଡା ଏସଡିପିଓ ସମେତ ଅନେକ ପୋଲିସ ଫୋର୍ସ ମୁତୟନ ହୋଇ କନ୍ୟାର ଭିଣୋଇ ସମେତ ବରଯାତ୍ରୀଙ୍କ ସମସ୍ତ ଗାଡିକୁ ଥାନାରେ ଅଟକ ରଖିଛି ଗୋପ ପୋଲିସ । ଉତ୍ତେଜନାକୁ ଆଖି ଆଗରେ ରଖି ଗ୍ରାମର ମୁଖ୍ୟ ରାସ୍ତାରେ ପୋଲିସ ମୁତୟନଥିବାସହ କୋଣାର୍କ ଭୁବନେଶ୍ୱର ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ଶତାଧିକ ମହିଳା ଓ ପୁରୁଷ । ତେବେ ପୋଲିସ ଓ ପ୍ରଶାସନ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଛି । ମୃତକଙ୍କ ପରିବାରକୁ ରେଡକ୍ରସ ପକ୍ଷରୁ ୧୦ ହଜାର ଟଙ୍କା ସହାୟତା ଦିଆଯାଇଛି । ସେହିପରି ଖୁବ ଶୀଘ୍ର ଅପରାଧୀଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ପରେ ରାସ୍ତା ରୋକ ହଟିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ