ପୁରୀ: ଲୀଳାମୟ ଶ୍ରୀ ଜଗନ୍ନାଥ ହେଉଛନ୍ତି ପୂର୍ଣ୍ଣ ବ୍ରହ୍ମ, ପୁରୁଷୋତ୍ତମ । ସେ ଏକାଧାରରେ ବିଶ୍ବମୟ ଓ ବିଶ୍ବାତୀତ । ସେ ପ୍ରତିମା ନୁହନ୍ତି ସମଗ୍ର ମାନବ ସମାଜର ସେ ପ୍ରତୀକ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସେ ସମସ୍ତଙ୍କ ଆଉ ସମସ୍ତେ ତାଙ୍କର । ମାନବଙ୍କ ମଧ୍ୟରେ ରହି ସେ ମଧ୍ୟ ମାନବ ତୁଲ୍ୟ ଲୀଳା ମାନ କରନ୍ତି । ମଣିଷଙ୍କ ପରି ଭୋଜନ ଶୟନ କରୁଥିବା ମହାପ୍ରଭୁ ବର୍ଷକରେ ଥରେ କରନ୍ତି ତାଙ୍କ ଗମନ ଲୀଳା ବା ଯାତ୍ରା ଲୀଳା । ପ୍ରତିବର୍ଷ ଆଷାଢ଼ ମାସ ଦ୍ବିତୀୟ ତିଥିରେ ଭାଇ ଭଉଣୀଙ୍କ ସହ ନିଜ ଜନ୍ମ ବେଦୀ ଗୁଣ୍ଡିଚା ମନ୍ଦିରକୁ ଭ୍ରମଣ କରନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ତେବେ ଆଜି ମଧ୍ୟ ଅନେକେ ଭାବନ୍ତି ଯେ ଗୁଣ୍ଡିଚା ମନ୍ଦିର ହେଉଛି ମହାପ୍ରଭୁଙ୍କ ମାଉସୀ ଘର । କିନ୍ତୁ ପ୍ରକୃତରେ ଶ୍ରୀଜୀଉଙ୍କ ମାଉସୀ ଘର ହେଉଛି ଭିନ୍ନ ।
ଗୁଣ୍ଡିଚା ମନ୍ଦିର
କିମ୍ବଦନ୍ତୀ ତଥା ପୌରାଣିକ ବ୍ୟାଖ୍ୟା ଅନୁସାରେ ଜାରା ଶବର ଶରରେ ପ୍ରାଣ ଛାଡ଼ିଲେ ଦ୍ବାରକାଧିପତି ଶ୍ରୀକୃଷ୍ଣ । ଶେଷତମ ଆତ୍ମୀୟ ଭାବରେ ପାଣ୍ଡବ ମାନେ ସଖା ଶ୍ରୀକୃଷ୍ଣଙ୍କ ଶରୀରକୁ ଦାହ କରିବା ପାଇଁ ଚେଷ୍ଟାକରି ବିଫଳ ହେଲେ । କାରଣ ଅଗ୍ନିର ନିକଟରେ ପୂର୍ଣ୍ଣବ୍ରହ୍ମ ସ୍ବରୂପ ଶ୍ରୀକୃଷ୍ଣଙ୍କ ଶରୀରକୁ ପଞ୍ଚଭୂତରେ ବିଲୀନ କରିବାର ସାମର୍ଥ୍ୟ ନଥିଲା । ଶୂନ୍ୟବାଣୀ ହେଲା ‘କୃଷ୍ଣଙ୍କର ନାଭିକମଳ ଅଗ୍ନିରେ ଭସ୍ମ ହେବନାହିଁ, ତୁମେମାନେ ତାହାକୁ ମହୋଦଧିରେ ବିସର୍ଜନ କରିଦିଅ’ । ପାଣ୍ଡବମାନେ ତାହାହିଁ କଲେ ।
ଶ୍ରୀକୃଷ୍ଣଙ୍କର ଅର୍ଦ୍ଧଦଗ୍ଧ ପିଣ୍ଡ ଦାରୁରୂପରେ ବାଙ୍କୀ ମୁହାଣରେ ଆବିର୍ଭାବ ହେଲା । ସମୁଦ୍ରରେ ଭାସୁଥିବା ସେହି ଦାରୁକୁ ଆଣି ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀଗୁଣ୍ଡିଚା ମନ୍ଦିରରେ ରଖିଥିଲେ । ସ୍ବୟଂ ମହାପ୍ରଭୁ ଜଣେ ବୃଦ୍ଧ ବେଶରେ ଆସି ସେହି ଦାରୁରେ ମୂର୍ତ୍ତି ପ୍ରସ୍ତୁତ କଲେ। ସର୍ତ୍ତ ଥିଲା ମୂର୍ତ୍ତି ସମ୍ପୂର୍ଣ୍ଣ ନହେବା ଯାଏଁ ଦ୍ବାର ଖୋଲାଯିବ ନାହିଁ । କିନ୍ତୁ 15 ଦିନରେ ମୂର୍ତ୍ତି ଗଢ଼ା ହେଉଥିବା ଘରୁ ଆଉ ଶବ୍ଦ ଶୁଣାଗଲା ନାହିଁ ଯାହାକୁ ନେଇ ଅଧୈର୍ଯ୍ୟ ହେଲେ ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀ ଗୁଣ୍ଡିଚା ଓ ଦ୍ବାର ଖୋଲାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମୂର୍ତ୍ତିନିର୍ମାଣ କରୁଥିବା ବୃଦ୍ଧ ଉଭାନ ହୋଇଗଲେ । କେବଳ ଅଧାଗଢା ମୂର୍ତ୍ତି ରହିଗଲା । ଅଧାଗଢ଼ା ମୂର୍ତ୍ତିକୁ ଶ୍ରୀମନ୍ଦିରରେ ପ୍ରତିଷ୍ଠା କରାଗଲା । ସେହି ସମୟରେ ରାଣୀ ଗୁଣ୍ଡିଚା ମହାପ୍ରଭୁଙ୍କୁ ବର୍ଷକୁ ଥରେ ନିଜ ଜନ୍ମବେଦୀକୁ ବୁଲି ଆସିବା ପାଇଁ ନିବେଦନ କରିଥିଲେ । ରାଣୀଙ୍କ ପ୍ରାର୍ଥନା ରଖି ମହାପ୍ରଭୁ ପ୍ରତି ବର୍ଷ ତାଙ୍କ ଜନ୍ମବେଦୀକୁ 7 ଦିନ ରହଣୀ ପାଇଁ ଯାଇଥାନ୍ତି ।
ତେବେ ଗୁଣ୍ଡିଚା ମନ୍ଦିରରେ ଶ୍ରୀବିଗ୍ରହଙ୍କ ନିର୍ମାଣ ପରେ ସହସ୍ର ଅଶ୍ବମେଧ ଯଜ୍ଞ ଅନୁଷ୍ଠିତ ହୋଇଥିବା ହେତୁ ଗୁଣ୍ଡିଚା ମନ୍ଦିରକୁ ଯଜ୍ଞ ବେଦୀ ତଥା ଆଡ଼ପ ମଣ୍ଡପ ମଧ୍ୟ କୁହାଯାଏ। ନିଳାଦ୍ରୀ ମହୋଦୟରେ ବର୍ଣ୍ଣନା ରହିଛି ଯେ ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ରତ୍ନବେଦୀରେ ଦଶ ହଜାର ବର୍ଷ ଦର୍ଶନର ପୁଣ୍ୟ ପ୍ରାପ୍ତି ହୁଏ। ସେହିପରି ଗୁଣ୍ଡିଚା ମନ୍ଦିରରେ ଯେଉଁ ଅନ୍ନ ଭୋଗ ହୋଇଥାଏ ତାହାକୁ ଆଡ଼ପ ଅବଢ଼ା କୁହାଯାଏ। ତେବେ ପ୍ରତିବର୍ଷ ହଜାର ହଜାର ଭକ୍ତ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସମେତ ଆଡ଼ପ ଅବଢ଼ା ଖାଇବା ପାଇଁ ଅପେକ୍ଷାରେ ରହିଥାନ୍ତି।
ମାଉସୀ ମା ବା ଦେବୀ ଅର୍ଦ୍ଧାଶିନୀ ମନ୍ଦିର
ମହାପ୍ରଭୁଙ୍କ ଶ୍ରୀକ୍ଷେତ୍ର ମାନବୀୟ ଲୀଳା କରୁଥିବା ବେଳେ ମହାପ୍ରଭୁଙ୍କର ଅନେକ ସମ୍ପର୍କ ଯଥା ଅଜା, ମାମୁଁ, ମାଉସୀ ଘର ଇତ୍ୟାଦି। ସେଥି ମଧ୍ୟରୁ ବଡ଼ ଦାଣ୍ଡର ବଳ ଗଣ୍ଡିରେ ରହିଛି ମହାପ୍ରଭୁଙ୍କର ମାଉସୀ ମା ଘର। ବାହୁଡା ଦିନ ଯେତେବେଳେ ମହାପ୍ରଭୁ ବଡ଼ ଭାଇ ଓ ଭଉଣୀଙ୍କ ସହ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରନ୍ତି ମାଉସୀ ମା ମନ୍ଦିର ନିକଟରେ କିଛି ସମୟ ରଥ ଅଟକି ଥାଏ। ମାଉସୀ ମାଙ୍କ ପକ୍ଷରୁ ପ୍ରସ୍ତୁତ ସ୍ବତନ୍ତ୍ର ପୋଡ଼ ପିଠା ମହାପ୍ରଭୁଙ୍କ ନିକଟରେ ଲାଗି ହୋଇଥାଏ।
ପୂର୍ବରୁ ବଳଗଣ୍ଡି ପାଖରେ ବାମପଟେ ହାତୀ ଗାଧୁଆ ନଦୀ ବହୁଥିଲା । ଲୋକେ ତାକୁ ବଳବତ୍ତର ଗଣ୍ଡି କହୁଥିଲେ ଏବେ ଏହା ବଳଗଣ୍ଡି ଭାବେ ପରିଚିତ । ଆଗେ ମହାପ୍ରଭୁ ମାନଙ୍କର ରଥ ଆସି ଏଇଠି ଅଟକି କିଛି ସମୟ ବିଶ୍ରାମ ନେବାପରେ ନଈ ପାର ହୋଇ ବିଗ୍ରହମାନେ ଆରପଟରେ ଥିବା ରଥରେ ବିଜେ ହୋଇ ଗୁଣ୍ଡିଚା ମନ୍ଦିରକୁ ଯାଉଥିଲେ । ପୁଣି ଫେରିଲାବେଳକୁ ଅର୍ଥାତ ବାହୁଡ଼ାବେଳେ ଏଇଠି ମାଉସୀ ମା ନିଜ ଗେହ୍ଲା ପୁତୁରା, ଝିଆରିଙ୍କୁ ଜଗନ୍ନାଥଙ୍କୁ ପୋଡ଼ପିଠା ଖାଇବାକୁ ଦେବାର ପରମ୍ପରା ଚଳି ଆସିଛି ।
ପୁରାଣ ବର୍ଣ୍ଣିତ କଥା ଅନୁଯାୟୀ ଯେତେବେଳେ ବ୍ରହ୍ମାଣ୍ଡରେ ଜଳ ପ୍ରଳୟ ହୋଇଥିଲା ସେତେବେଳେ ଦେବୀ ଅର୍ଦ୍ଧାଶିନୀ ଅଧା ଜଳ ଶୋଷଣ କରି ଜଗତକୁ ଉଧାର କରିଥିଲେ । ତେଣୁ ସେ ଅର୍ଦ୍ଧାଳିନୀ ଭାବେ ନାମିତ ହୋଇଛନ୍ତି। ଜଗତ ଉଦ୍ଧାର କରି ଦେବୀ ଅର୍ଦ୍ଧା ସିନି ମା ରୂପେ ପ୍ରତୀୟମାନ ହୋଇଥିବା ହେତୁ ସେ ମହାପ୍ରଭୁଙ୍କର ମାଙ୍କ ଭଉଣୀ ବା ମାଉସୀ ମା ରୂପରେ ଅବସ୍ଥାପିତ ହୋଇଛନ୍ତି। ଏହି ସମ୍ପର୍କରୁ ଜଣାଯାଏ ମହାପ୍ରଭୁ ମଧ୍ୟ ମଣିଷଙ୍କ ଭଳି ବିଭିନ୍ନ ସମ୍ପର୍କ ରଖି ନିଜର ମାନବୀୟ ଲୀଳାରେ ସ୍ନେହ, ପ୍ରେମ, ଆଦରର ବନ୍ଧନରେ ବାନ୍ଧି ହୋଇ ରହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ