- ନରେନ୍ଦ୍ର ପୁଷ୍କରିଣୀ
ଏହା ଶ୍ରୀ ମନ୍ଦିରଠାରୁ ୨କିଲୋମିଟର ଦୂରରେ ଅବସ୍ଥିତ। ପୁଷ୍କରିଣୀଟିକୁ ରାଜା କପିଳେନ୍ଦ୍ରଦେବଙ୍କ ପୁତ୍ର ନରେନ୍ଦ୍ର ଦେବ ଖନନ କରାଇଥିଲେ । ସେଥିପାଇଁ ଇତିହାସ ଅନୁସାରେ ଏହି ପୁଷ୍କରିଣୀର ନାମ ନରେନ୍ଦ୍ର ପୁଷ୍କରିଣୀ । 8 ଏକର ପରିମିତ ଏହି ପୁଷ୍ପରିଣୀର ଲମ୍ବ 834 ଏବଂ ଓସାର 873 ଫୁଟ । ଏହି ପୋଖରୀରେ ଶ୍ରୀଜିଉଙ୍କର ଚନ୍ଦନ ଯାତ୍ରା ଅନୁଷ୍ଠିତ ହେଉଥିବାରୁ ପୁରାଣ ମତେ ଏହାକୁ ଚନ୍ଦନ ପୋଖରୀ ବୋଲି କୁହାଯାଏ।
- ମାର୍କଣ୍ଡେୟ ପୁଷ୍କରିଣୀ
ଶ୍ରୀମନ୍ଦିରର ଉତ୍ତର ଦିଗ ତଥା ଐଶାନ୍ୟ କୋଣରେ ଅବସ୍ଥିତ । ଏଠାରେ ଶ୍ରୀଜିଉଙ୍କର କାଳୀୟ ଦଳନ ନୀତି ସମ୍ପାଦନ କରାଯାଉଥିବାବେଳେ ଶ୍ରୀମନ୍ଦିର ସହିତ ଏହି ପୁଷ୍କରିଣୀର ସମ୍ପର୍କ କାହିଁ କେଉଁ କାଳରୁ ରହି ଆସିଛି । ଏହା ପାଖରେ ପାଖରେ ଗଢି ଉଠିଥିବା ସାହିର ନାମ ମଧ୍ୟ ମାର୍କଣ୍ଡେଶ୍ବର ।
- ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ
ଶ୍ରୀଗୁଣ୍ଡିଚା ମନ୍ଦିରର ଐଶାନ୍ୟ କୋଣ ବା ପଛ ପାର୍ଶ୍ବରେ ଅବସ୍ଥିତ । ପୋଖରୀ କୂଳରେ ଶିବ ଶଙ୍କର ନିଳକଣ୍ଠ ପୂଜା ପାଉଛନ୍ତି । କୁହାଯାଏ ଯେ ରାଜା ଇନ୍ଦ୍ରଦ୍ୟୁମ୍ନ ହଜାରେ ଗାଈ ବ୍ରାହ୍ମଣଙ୍କୁ ଦାନ କରି ଏହି ଜମିକୁ କିଣିଥିଲେ । ଏହି ପୁଷ୍କରିଣୀ ପଞ୍ଚତୀର୍ଥ ମଧ୍ୟରେ ଅନ୍ୟତମ । ପୋଖରୀ କୂଳରେ ଥିବା ଶିବ ଭଗବାନଙ୍କୁ ଦର୍ଶନ କରି ଆଡପମଣ୍ଡପରେ ଚତୁର୍ଦ୍ଧା ମୁରତୀଙ୍କୁ ଦର୍ଶନ କଲେ ଅଶ୍ବମେଧ ଯଜ୍ଞ ଫଳପ୍ରାପ୍ତି ହୋଇଥାଏ ବୋଲି ମଧ୍ୟ ଲୋକ କଥା ରହିଛି।
- ଶ୍ବେତଗଙ୍ଗା ପୁଷ୍କରିଣୀ
ଶ୍ରୀମନ୍ଦିରର ଦକ୍ଷିଣ ଦିଗ ବା ସିହଂଦ୍ବାର-ସ୍ବର୍ଗଦ୍ବାର ରାସ୍ତାରେ ଶ୍ବେତଗଙ୍ଗା ସରୋବର ଅବସ୍ଥିତ । ମନ୍ଦିର ଭିତରେ ମହାପ୍ରସାଦ ମାଡିବା ଘୋର ପାପ । ଏହି ପାପରୁ ମୁକ୍ତିପାଇବା ପାଇଁ ସେବାୟତମାନେ ଶ୍ବେତଗଙ୍ଗାରେ ପାଦ ପ୍ରକ୍ଷାଳନ କରିଥାନ୍ତି । ସ୍ବର୍ଗଦ୍ବାରରେ ଶବଦାହ ପରେ ଏଠାରେ ପଥଶ୍ରାଦ୍ଧ, ତର୍ପଣ ଓ ଅନ୍ୟାନ୍ୟ ଶୁଦ୍ଧି କର୍ମ ଆଦି କରାଯାଏ । ହିନ୍ଦୁଧର୍ମ ମତେ ଜଣଙ୍କର ମୃତ୍ୟୁ ପରେ ତାର ଅସ୍ତିକୁ ବିସର୍ଜନ କରାଯାଇଥାଏ । କୁହାଯାଏ ସାଧାରଣତଃ ଗଙ୍ଗାନଦୀରେ ଅସ୍ତି ବିସର୍ଜନ କଲେ ଯେତିକି ପୁଣ୍ୟ ମିଳିଥାଏ ଏଠାରେ ବିସର୍ଜନ କଲେ ସମାନ ପୁଣ୍ୟ ମିଳିଥାଏ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ