ପୁରୀ: ଶ୍ରୀମନ୍ଦିର ଚୂଡ଼ାରେ ଶୋଭା ପାଉଥିବା ନୀଳଚକ୍ର ସହ ଫରଫର ହୋଇ ଉଡ଼ୁଥିବା ପତିତପାବନ ବାନାକୁ ଦେଖି ପୁରୀ ଆସୁଥିବା ପ୍ରତ୍ୟେକ ଭକ୍ତ ହୋଇ ଉଠନ୍ତି ଭାବ ବିହ୍ବଳ । ଶ୍ରୀଜଗନ୍ନାଥଙ୍କ ପୂର୍ବରୁ ନୀଳଚକ୍ର ଦର୍ଶନ କରି ଶ୍ରୀଜଗନ୍ନାଥ ଦର୍ଶନର ପୁଣ୍ୟ ଓ ଆନନ୍ଦ ଲାଭ କରେ ଭକ୍ତ । ନୀଳଚକ୍ର ତଥା ଚକ୍ର ରାଜ ସୁଦର୍ଶନ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ମୁଖ୍ୟ ଆୟୁଧ ତଥା ଅସ୍ତ୍ର ।
ସୁନା, ରୁପା, ଲୁହ , ତମ୍ବା, ସୀସା, ପାରଦ ଇତ୍ୟାଦି ଅଷ୍ଟ ଧାତୁରେ ନିର୍ମିତ ଏହି ନୀଳଚକ୍ର ହେଉଛି ସ୍ବତନ୍ତ୍ର । ଦୂରରୁ ଏହାର ଉଚ୍ଚତା 2 ଫୁଟ ଭଳି ଲାଗୁଥିଲେ ମଧ୍ୟ ଏହା ପ୍ରକାଣ୍ଡକାୟ । ନନ୍ଦିଘୋଷ ଚକ ତଥା କୋଣାର୍କ ଚକ ଠାରୁ ମଧ୍ୟ ବିଶାଳ ମହାପ୍ରଭୁଙ୍କ ଏହି ଆୟୁଧ । ନୀଳଚକ୍ର ଓ ଏହା ଉପରେ ଥିବା ପାନପତ୍ରୀଙ୍କୁ ମିଶାଇଲେ ଏହାର ଉଚ୍ଚତା ହେବ ସାଢ଼େ 13 ଫୁଟ । ଏହାର 8 ଟି ଅର ସହ ରହିଛି 8 ଟି ଦଣ୍ଡା । ପ୍ରତେକ ସଂକ୍ରାନ୍ତି ରେ ନୀଳଚକ୍ର ଙ୍କୁ ମାଜଣା ତଥା ସ୍ନାନ କରାଯାଏ।
ତେବେ ପ୍ରଭୁଙ୍କର ଏହି ଆୟୁଧକୁ ନେଇ ରହିଛି ଏକ କିମ୍ବଦନ୍ତୀ । ତିନି ଯୁଗରେ ସୁଦର୍ଶନ ଚକ୍ର ଗୋଲାକାର ହୋଇଥିଲେ ହେଁ କଳିଯୁଗରେ ସ୍ତମ୍ଭାକାର ରୂପେ ବିରାଜିତ ହୋଇଛନ୍ତି । ଏହା ପଛରେ ଥିବା ପୌରାଣିକ ମତଟି ହେଲା, ସୁଦର୍ଶନ ଦୂତ ରୂପେ ବା କାର୍ଯ୍ୟନିର୍ବାହୀ ରୂପେ ପ୍ରଭୁଙ୍କ ସବୁ କାର୍ଯ୍ୟ ତୁଲାଉଥିବାରୁ ତାଙ୍କ ମନରେ ଅହଙ୍କାର ଜାତ ହେଲା । ସୁଦର୍ଶନ ଚକ୍ର ଯୋଗୁଁ ପ୍ରଭୁଙ୍କ ନାମ ଚକ୍ରଥର ବୋଲି ସେ ଖୁବ୍ ଅହଂକାର କରୁଥିଲେ । ଏହା ଜାଣିପାରି ସୁଦର୍ଶନଙ୍କର ଅହଙ୍କାର ବିନାଶ ପାଇଁ କଦଳୀବନରେ ତପସ୍ୟା କରୁଥିବା ହନୁମାନଙ୍କୁ ଡାକି ଆଣିବା ପାଇଁ ସୁଦର୍ଶନଙ୍କୁ ପଠାଇଲେ ମହାପ୍ରଭୁ । ଅହଙ୍କାର ବଶତଃ ସୁଦର୍ଶନ ଗଲାବେଳେ କଦଳୀବନର ପତ୍ର ସବୁ କାଟି କାଟି ଯାଇ ସେଠାରେ ଅଭୟ ମୁଦ୍ରାରେ ତପସ୍ୟାରେ ବସିଥିବା ହନୁମାନଙ୍କୁ ପ୍ରଭୁଙ୍କ ବାର୍ତ୍ତା ଜଣାଇଲେ ।
ହନୁମାନ ସବୁ ଜାଣିପାରି କହିଲେ ମୁଁ ଚିରଞ୍ଜିବୀ ହେଲେ ମଧ୍ୟ ବୃଦ୍ଧାବସ୍ଥା ଯୋଗୁଁ ଶୀଘ୍ର ଯାଇପାରିବି ନାହିଁ, ଏଣୁ ତୁମେ ଆଗରେ ଚାଲ ମୁଁ ପଛେ ପଛେ ପହଞ୍ଚିବି । ସୁଦର୍ଶନ ଏହାଶୁଣି ଅହଙ୍କାରରେ ପୂର୍ବାପେକ୍ଷା ଦୁଇଗୁଣ ବେଗରେ ଯାଇ ପହଞ୍ଚିବା ବେଳକୁ ହନୁମାନ ସିଂହଦ୍ବାରରେ ଅପେକ୍ଷା କରିଛନ୍ତି । ସୁଦର୍ଶନ ବିସ୍ମିତ ହୋଇ ପଚାରିଲେ, ତୁମ୍ଭେ ବୃଦ୍ଧ ହେତୁ ଶିଘ୍ର ଆସିପାରିବ ନାହିଁ ବୋଲି କହୁଥିଲ, ଏତେ ଶୀଘ୍ର ମୋ ପୂର୍ବରୁ ପହଁଞ୍ଚିଲ କିପରି । ହନୁମାନ ଉତ୍ତରଦେଲେ, ମୁଁ ପିତା ପବନଦେବଙ୍କୁ ସ୍ମରଣ କରିବାରୁ ସେ ମତେ ଏଠାରେ ପହଞ୍ଚାଇଲେ । ମୁଁ ବୃଦ୍ଧ ହୋଇପାରେ କିନ୍ତୁ ପିତା ପବନଦେବ ବୃଦ୍ଧ ନୁହଁନ୍ତି । କାରଣ ଦେବତାମାନେ ବୃଦ୍ଧ ହୁଅନ୍ତି ନାହିଁ, ସର୍ବଦା ଯୁବକ ଅବସ୍ଥାରେ ଥାଆନ୍ତି ।
ହନୁମାନଙ୍କ ଶକ୍ତି ପରିକ୍ଷା ପାଇଁ ସୁଦର୍ଶନ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଚାରିଦ୍ବାରରେ ଚାରୋଟି ସୁଦର୍ଶନ ରୂପେ ବାଟ ଓଗାଳିଲେ । ଏହା ଦେଖି ହନୁମାନ ପ୍ରଭୁ ରାମଙ୍କୁ ସ୍ମରଣ କରି ଚାରି ହାତରେ ଚାରୋଟି ସୁଦର୍ଶନଙ୍କୁ ଆଣି ଗିଳିଦେଇ ପ୍ରଭୁଙ୍କ ପାଖରେ ପହଞ୍ଚିଲେ । ପ୍ରଭୁ ହନୁମାନଙ୍କୁ ଏକାକୀ ଦେଖି ସୁଦର୍ଶନଙ୍କ କଥା ପଚାରିଲେ । ହନୁମାନ କହିଲେ, ପ୍ରଭୁ ଆପଣ ସବୁ ଜାଣନ୍ତି, ଆପଣ ତାଙ୍କୁ ଯେପରି ଚାରୋଟି ରୂପ ଦେଲେ, ମତେ ସେପରି ଚାରୋଟି ହାତ ଦେଲେ, ଚାରିଦ୍ବାରରେ ସେ ମୋ ପଥରୋଧ କରିବାରୁ ମୁଁ ତାଙ୍କୁ ଗିଳିଦେଇଛି । ପ୍ରଭୁଙ୍କ ଦର୍ଶନରେ ମୁଁ କୌଣସି ବାଧା ମାନିବି ନାହିଁ କହିଲେ ହନୁମନ୍ତ । ତତ୍ପରେ ପ୍ରଭୁଙ୍କ ଆଦେଶ ମୁତାବକ ହନୁମାନ ସୁଦର୍ଶନଙ୍କୁ ବାହାର କଲେ, କିନ୍ତୁ ଚାରୋଟିଯାକ ସୁଦର୍ଶନ ଏକ ସ୍ତମ୍ଭାକାର ହୋଇ ତଳେ ପଡ଼ିଲେ । ଉଭୟଙ୍କ ଅହଙ୍କାର ପାଇଁ ପ୍ରଭୁ ଦଣ୍ଡବିଧାନ କଲେ । ସୁଦର୍ଶନ ସେହି ସ୍ତମ୍ଭାକାର ରୂପେ ଦକ୍ଷିଣପାର୍ଶ୍ବ ପରିବର୍ତ୍ତେ ବାମପାର୍ଶ୍ବରେ ରହିଲେ । ହନୁମାନ ତପସ୍ବୀ ହନୁମାନ ନାମରେ ଆଠହାତଯୁକ୍ତ ପ୍ରଶସ୍ତ ମୁଦ୍ରାରେ ଉତ୍ତର ଦ୍ବାର ଜଗି ରହିଲେ ।
ତେବେ ନିଜର ଅହଂକାର ଯୋଗୁଁ ଖୁବ୍ ଲଜ୍ଜିତ ହୋଇ ପ୍ରଭୁଙ୍କ ନିକଟରେ କ୍ଷମା ପ୍ରାର୍ଥନା କଲେ ସୁଦର୍ଶନ । ତାପରେ ସେଇ ରହସ୍ୟମୟୀ ହସଟିଏ ହସିଥିଲେ କାଳିଆ ଦଳନ । ସୁଦର୍ଶନଙ୍କୁ କ୍ଷମାଦେଇ ତାଙ୍କର ସମ୍ମାନ ରକ୍ଷା ନିମନ୍ତେ ପୁଣିଥରେ ଗୋଲାକାର ଭାବେ ତାଙ୍କୁ ଶ୍ରୀମନ୍ଦିର ଚୂଡ଼ାରେ ଅବସ୍ଥାପିତ କଲେ । ପ୍ରଭୁ ଏକଥା ମଧ୍ୟ ଜଣାଇଲେ ଯେ ଦୂରରୁ ସୁଦର୍ଶନଙ୍କୁ ଦର୍ଶନ କଲେ ଜଗନ୍ନାଥ ଦର୍ଶନ ସମ ପୁଣ୍ୟ ପ୍ରାପ୍ତି ହେବ । ଏହାଦ୍ବାରା ତେଜହୀନ ହୋଇ ମଧ୍ୟ ସୁଦର୍ଶନଙ୍କ ବୈଶିଷ୍ଟ୍ୟ ଅକ୍ଷୁର୍ଣ୍ଣ ରହିଲା ।
ସେହିପରି ନୀଳଚକ୍ର ସହ ପତିତପାବନ ବାନାର ମଧ୍ୟ ରହିଛି ବିଶେଷତ୍ବ । ପତିତ ମାନଙ୍କୁ ଉଦ୍ଧାର କରିବା ପାଇଁ ମହାପ୍ରଭୁ ବଡ଼ ଦେଉଳରେ ଉଡ଼ାଉଛନ୍ତି ପତିତ ପାବନ ବାନା । ଭକ୍ତ ଟିଏ ନିଜର କୌଣସି ମନସ୍କାମନା ନେଇ ନୀଳଚକ୍ର ରେ ପତିତପାବନ ବାନା ଟିଏ ଚଢାଇଲେ ସବୁ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ବାସ ରହିଛି । ଏଥିପାଇଁ ପ୍ରତିଦିନ ଶହ ଶହ ଭକ୍ତ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପତିତପାବନ ବାନା ଶ୍ରୀମନ୍ଦିରରେ ଚଢାଇ ଥାନ୍ତି । ପ୍ରତିଦିନ ସନ୍ଧ୍ୟାରେ ଶ୍ରୀମନ୍ଦିର ଚୂନରା ସେଵାୟତ ଏହାକୁ ପରିବର୍ତନ କରି ନୂଆ ବାନା ଲଗାଇ ଥାନ୍ତି। ଯଦି କୌଣସି କାରଣରୁ ନୀଳଚକ୍ରରେ ବାନା ନ ଲାଗିପାରେ ତେବେ ବନ୍ଦ ହୋଇଯାଏ ମହାପ୍ରଭୁଙ୍କ ନୀତିକାନ୍ତି । କେବଳ ଲାଲ, ହଳଦିଆ ଓ ଧଳା ରଙ୍ଗର ବାନା ହିଁ ଲାଗିଥାଏ ନୀଳଚକ୍ରରେ । ପୂର୍ଵରୁ ନୀଳଚକ୍ରରେ ଦେଢ ସହ ହାତର ବିଶାଳ ବାନା ଲାଗି ହେଉଥିଲା । ତେବେ ପବନ ଚାପ ଯୋଗୁଁ ନୀଳଚକ୍ରର କ୍ଷତି ହେବା ଆଶଙ୍କା କରି ପ୍ରତ୍ନତାତ୍ତ୍ବିକ ବିଭାଗର ନିର୍ଦ୍ଦେଶ କ୍ରମେ ମାତ୍ର 14 ହାତିଆ ବାନା ଲାଗି ହେଉଛି ।
ଏ ପର୍ଯ୍ୟନ୍ତ ବି ଭକ୍ତ ଟିଏ ମହାପ୍ରଭୁଙ୍କ ଉଦେଶ୍ୟରେ ନୀଳଚକ୍ରରେ ବାନା ଟିଏ ଲଗାଇ ପରମ ଆନନ୍ଦ ଲାଭ କରିଥାଏ। ପ୍ରକୃତରେ ନୀଳଚକ୍ର ଓ ସେଥିରେ ଉଡ଼ୁଥିବା ପତିତ ପାବନ ବାନା ଭକ୍ତଙ୍କ ହୃଦୟରେ ମହାପ୍ରଭୁଙ୍କ ପ୍ରତୀକ ରୂପେ ବିଦ୍ୟମାନ । ସେଥିପାଇଁ ସେ ନୀଳଚକ୍ରଙ୍କ ଉଦ୍ଦେଶ୍ୟରେ ହିଁ ଭକ୍ତ ନିବେଦନ କରିଥାଏ ପ୍ରଥମ ପ୍ରଣିପାତ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ